ଉତ୍ତର ପ୍ରଦେଶରେ ଭୋଲେ ବାବା ସତସଙ୍ଗରେ ବଡ଼ ଅଘଟଣ; ୨୫ ମହିଳା ସମେତ ୨୭ ମୃତ

Published By : Prameya-News7 Bureau | July 02, 2024 IST

ହାଥରସ: ଉତ୍ତର ପ୍ରଦେଶ ସ୍ଥିତ ହାଥରସ ଜିଲ୍ଲାରେ ଦୁଃଖଦାୟକ ଘଟଣା ଘଟିଛି। ଏଠାରେ ଭୋଲେ ବାବା ସତସଙ୍ଗ ସମୟରେ ଦଳଚକଟା ଯୋଗୁଁ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏଟାର ମୁଖ୍ୟ ଚିକିତ୍ସାଧିକାରୀ ଏହାର ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୨୫ ମହିଳା ସାମିଲ। 

ଏଟାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଉମେଶ ତ୍ରିପାଠୀ କହିଛନ୍ତି, ୨୭ ମୃତଦେହ ଚିକିତ୍ସାଳୟରେ ରଖାଯାଇଛି। ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୨୫ ମହିଳା ସାମିଲ। ସୂଚନା ଅନୁଯାୟୀ, ହାଥରସ ଜନପଦର  ସିକନ୍ଦରାବାଦ ଥାନା ଅନ୍ତର୍ଗତ ଫୁଲରଇ ଗାଁରେ ଭୋଲେ ବାବା ସତସଙ୍ଗ ଆୟୋଜିତ ହୋଇଛି। ସମାପନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଲୋକେ ଏଣେ ତେଣେ ଦୌଡ଼ିବାରେ ଲାଗିଥିଲେ। ଫଳରେ ଦଳଚକଟାରେ ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମୃତ ଶରୀରର ଏଟା ମେଡିକାଲ୍ କଲେଜରେ ରଖା ଯାଇଛି। ଆହତଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। 

ଏଟାର ଏସଏସପି ରାଜେଶ କୁମାର ସିଂଙ୍କ ଅନୁଯାୟୀ, ହାଥରସ ଜିଲ୍ଲାର ମୁଗଲଗଢି ଗାଁରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା। ସେହି ସମୟରେ ଦଳଚକଟା ଘଟଣା ଘଟିଛି। ଏ ପର୍ଯ୍ୟନ୍ତ ଏଟା ହସ୍ପିଟାଲରେ ୨୭ ଜଣଙ୍କ ମୃତଦେହ ରହିଛି।ଏଥିରେ ୨୩ ମହିଳା, ୩ ଶିଶୁ ଓ ଜଣେ ପୁରୁଷ ସାମିଲ। ଅନେକ ଆହତଙ୍କ ଚିକିତ୍ସା ଜାରି ସହ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। 

ତେବେ ମୃତକଙ୍କ ସଂଖ୍ୟାକୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ସହ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜୋରଦାର କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜି ଆଗ୍ରା ଓ ଅଲିଗଡ଼ କମିଶନରଙ୍କ ନେତୃତ୍ଵରେ ଏକ କମିଟି ଗଠନ କରାଯାଇ ଘଟଣାର ପ୍ରକୃତ କାରଣ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.