ବିଦେଶ ଯିବା ପାଇଁ ନିଜକୁ ବୃଦ୍ଧ ସଜାଇଥିଲେ ୨୪ ବର୍ଷୀୟ, ନକଲି ପାସପୋର୍ଟ-ଭିସା ସହ ଗିରଫ କଲା ପୋଲିସ

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ: ବିଦେଶ ଯିବା ପାଇଁ ଅନେକ ଲୋକ ବେଶ୍‌ ଉତ୍ସାହିତ ରହିଥାନ୍ତି। ନୂଆ ସ୍ଥାନ, ନୂଆ ଲୋକଙ୍କୁ ଭେଟିବା ତଥା ଜାଣିବାକୁ ଖୁବ୍‌ ଆଗ୍ରହ ଥାଏ ଅନେକଙ୍କଠାରେ। କିନ୍ତୁ କ’ଣ କେହି ବିଦେଶ ଯିବାକୁ ଏତେ ଉତ୍ସାହିତ ହୋଇପାରେ ଯେ, ବିଦେଶ ଯିବା ପାଇଁ ନିଜ ବେଶ ବଦଳାଇପାରେ ? ପୁଣି ନିଜକୁ ବୃଦ୍ଧ ସଜାଇ। ଏମିତି କିଛି କରିଛନ୍ତି ଏକ ଦମ୍ପତ୍ତି। ବିଦେଶ ଯିବା ପାଇଁ ଏହି ଦମ୍ପତ୍ତି କେବଳ ନିଜ ରୂପ ବଦଳାଇନାହାଁନ୍ତି ବରଂ ନକଲି ପାସପୋର୍ଟ ଏବଂ ଭିସା ମଧ୍ୟ ପ୍ରସ୍ତୁତ କରିଛନ୍ତି । 

ଘଟଣା ଘଟିଛି ଦିଲ୍ଲୀ ଏୟାରପୋର୍ଟରେ।ଏୟାରପୋର୍ଟ ସୁରକ୍ଷାରେ ନିୟୋଜିତ ସିଆଇଏସଏଫ୍‌ ଏଭଳି ଏକ ଦମ୍ପତ୍ତିଙ୍କୁ ଗିରଫ କରିଛନ୍ତି। ଏହି ଦମ୍ପତ୍ତି ମେକଅପ୍‌ ଦ୍ବାରା ନିଜକୁ ବୃଦ୍ଧ ସଜାଇ ବିଦେଶ ଯିବାକୁ ଚେଷ୍ଟା କରୁଥିଲେ।ପତି-ପତ୍ନୀ କାନାଡା ଯିବା ପାଇଁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ। ହେଲେ ବିମାନବନ୍ଦରର ଇମିଗ୍ରେସନ ଓ୍ବିଣ୍ଡୋରେ ବସିଥିବା କର୍ମଚାରୀ ଦମ୍ପତ୍ତିଙ୍କ ବୟସ ଏବଂ କଥା କହିବାର ଶୈଳୀକୁ ନେଇ ସନ୍ଦେହ କରିଥିଲେ ସନ୍ଦେହ କରିଥିଲେ ଏବଂ ସିଆଇଏସଏଫଙ୍କୁ ଯୋଗାଯୋଗ କରିଥିଲେ।

ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ବ୍ୟକ୍ତିଙ୍କର ବୟସ ୬୭ ବର୍ଷ ନୁହେଁ ବରଂ ୨୪ ବର୍ଷର। ତାଙ୍କର ପ୍ରକୃତ ନାଁ ଗୁରସେବକ । ଯେତେବେଳେକି ପାସପୋର୍ଟରେ ତାଙ୍କ ନାମ ରବିନ୍ଦର ଲେଖା ହୋଇଥିଲା। ପଚରାଉଚରାରେ ଗୁରୁସେବକ କହିଥିଲେ ଯେ, ଜଗଜୀତ ନାମକ ଜଣେ ଟ୍ରାଭେଲ ଏଜେଣ୍ଟ ଦମ୍ପତ୍ତିଙ୍କୁ ଆମେରିକା ପଠାଇଦେବା ବଦଳରେ ୬୦ ଲକ୍ଷ ଟଙ୍କା ମାଗିଥିଲା। କାନାଡା ପର୍ଯ୍ୟନ୍ତ ବିମାନରେ ଯିବାର ଥିଲା ଏବଂ କାନାଡା ପରେ ଆମେରିକା ଯିବା ପାଇଁ ଦୁହିଁଙ୍କୁ ଡଙ୍କି ରୁଟ୍‌ର ବ୍ୟବହାର କରିବାର ଥିଲା। ଏଥିପାଇଁ ସେ ଏଜେଣ୍ଟକୁ ଆଡଭାନ୍ସ ବାବଦକୁ ୩୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଏହାପରେ ଏଜେଣ୍ଟ ଜାଲ୍‌ ପାସପୋର୍ଟ, ଭିସା ପ୍ରସ୍ତୁତ କରିଥିଲା ଏବଂ ଦମ୍ପତ୍ତିଙ୍କୁ ବୃଦ୍ଧ ମେକଅପ୍‌ କରାଯାଇଥିଲା।

ଘଟଣାରେ ଏୟାରପୋର୍ଟ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଦମ୍ପତ୍ତି ଏବଂ ଏଜେଣ୍ଟକୁ ଗିରଫ କରିଛି। ପୋଲିସ ଏହି ମାମଲାରେ ଯାଞ୍ଚ ଜାରି ରଖିବା ସହ ଜଗଜୀତ ଏଭଳି ଉପାୟରେ କେତେ ଲୋକଙ୍କୁ ବିଦେଶ ପଠାଇଛି ସେନେଇ ତଦନ୍ତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.