ରେଖାଙ୍କ ହାତରେ ଦିଲ୍ଲୀ ଦରବାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

Published By : Prameya-News7 Bureau | February 20, 2025 IST

ନୂଆଦିଲ୍ଲୀ ୨୦/୦୨: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଦିଲ୍ଲୀରେ ଚତୁର୍ଥ ମହିଳା ଭାବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା। ରେଖାଙ୍କ ସହ ୬ ମନ୍ତ୍ରୀ ବି ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । 

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂ ସିରସା, ରବୀନ୍ଦ୍ର ଇନ୍ଦରାଜ ସିଂ, କପିଲ ମିଶ୍ରା, ପଙ୍କଜ ସିଂ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଏହି ଶପଥ ସମାରୋହରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ହେଭିଓ୍ୱେଟ୍ ନେତା । ଏହାସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇଥିଲେ । 


ସୁଷମା ସ୍ବରାଜ, ଶିଲା ଦିକ୍ଷୀତ ଏବଂ ଆତିଶି ମାର୍ଲେନାଙ୍କ ପରେ ଦିଲ୍ଲୀର ଚତୁର୍ଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀର ସାଲିମାର ବାଗ ବିଧାନସଭାରୁ ପ୍ରଥମ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ । ଶପଥଗ୍ରହଣ ପୂର୍ବରୁ ବୁଧବାର ରାତିରେ ରେଖା ଗୁପ୍ତା ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକସେନାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ । ଏହା ପୂର୍ବରୁ ସନ୍ଧ୍ୟାରେ ଦିଲ୍ଲୀ ବିଜେପି ବିଧାୟକଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାମ ଉପରେ ମୋହର ବାଜିଥିଲା । 


ରେଖା ଗୁପ୍ତାଙ୍କ କ୍ୟାରିୟର ବାବଦରେ କହିବାକୁ ଗଲେ ସେ ୧୯୯୨ ମସିହାରେ ଛାତ୍ର ରାଜନୀତିରୁ ନିଜୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ବିଜେପି ସହ ଅନୁବନ୍ଧିତ  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ଭାବେ ୧୯୯୬-୯୭ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୭ ରେ ଉତ୍ତର ପୀତମପୁରାରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.