ଦିଲ୍ଲୀ ହାଇକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ୍ ମନମୋହନ ହେବେ ସୁପ୍ରିମକୋର୍ଟ ବିଚାରପତି

Published By : Prameya-News7 Bureau | November 28, 2024 IST

ନୂଆଦିଲ୍ଲୀ ୨୮।୧୧: ସୁପ୍ରିମକୋର୍ଟ କଲେଜିୟମ ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ରୂପେ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ପାଞ୍ଚ ସଦସୀୟ କଲେଜିୟମର ନିକଟରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବ ଗୃହୀତ ହୋଇଛି। ଏହି କଲେଜିୟମର ଅଧ୍ୟକ୍ଷ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖନ୍ନା ଅଛନ୍ତି। ଏହି ପ୍ୟାନେଲରେ ଜଷ୍ଟିସ୍ ବି.ଆର.ଗବଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ୍ ଏ.ଏସ୍. ଓକା ସଦସ୍ୟ ଅଛନ୍ତି। 

କଲେଜିୟମ ଉଚ୍ଚ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି ଲାଗି ସୁପାରିଶ କରନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ୩୪ ସ୍ୱୀକୃତ ପଦବୀରେ ୩୨ ଜଣ ବିଚାରପତି ଅଛନ୍ତି। ଯେଉଁଥିରେ ସିଜେଆଇ ମଧ୍ୟ ସାମିଲ। ଜଷ୍ଟିସ୍ ହେମା କୋହଲୀ ଓ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ ଅବସର ନେବା ପରେ ସୁପ୍ରିମକୋର୍ଟରେ ଜଜ୍ ଙ୍କ ଦୁଇଟି ପଦବୀ ଖାଲି ହୋଇଛି। ଏହି ପଦବୀ ପୂରଣ ନିମନନ୍ତେ କଲେଜିୟମ ସୁପାରିଶ କରିଛନ୍ତି। 

ଜଷ୍ଟିସ୍ ମନମୋହନ(୬୧) ଦିବଙ୍ଗତ ଜଗମୋହନଙ୍କ ପୁଅ । ଜଗମୋହନ ବ୍ୟୁରୋକ୍ରାଟ ଥିଲେ ଓ ପରେ ରାଜନୀତିରେ ପାଦ ରଖିଥିଲେ। ଜଗମୋହନ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଓ ଦିଲ୍ଲୀ ଉପରାଜ୍ୟପାଳ ଭାବେ ସେବା ଦେଇଛନ୍ତି। ଜଷ୍ଟିସ୍ ମନମୋହନଙ୍କ ଜନ୍ମ ୧୭ ଡିସେମ୍ବର ୧୯୬୨ରେ ଦିଲ୍ଲୀରେ ହୋଇଥିଲା। ସେ ଦିଲ୍ଲୀ ମଡର୍ଣ୍ଣ ସ୍କୁଲରୁ ତାଙ୍କର ଶିକ୍ଷା ପ୍ରାରମ୍ଭ କରିଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହିନ୍ଦୁ କଲେଜରୁ ଇତିହାସରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ। ୧୯୮୭ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଲ ସେଣ୍ଟରରୁ ଆଇନ ପଢିଥିବା ବେଳେ ଅଧିବକ୍ତା ଭାବେ ତାଙ୍କର ପଞ୍ଜିକରଣ କରାଇଥିଲେ। 

ଜଷ୍ଟିସ୍ ମନମୋହନ ତାଙ୍କ କ୍ୟାରିୟର ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲ ରୂପେ ଆରମ୍ଭ କରିଥିଲେ।  ସେ ମୁଖ୍ୟତଃ ସିଭିଲ, କ୍ରିମିନାଲ, ସାମ୍ବିଧାନିକ, ଟ୍ୟାକ୍ସ, ମଧ୍ୟସ୍ଥତା, ଟ୍ରେଡମାର୍କ ସେବା ବିବାଦ ମାମଲାରେ ପ୍ରାକ୍ଟିସ କରୁଥିଲେ। ସେ ଭାରତ ସରକାରଙ୍କ ନିମନ୍ତେ ପ୍ୟାନେଲ ଅଧିବକ୍ତା ରୂପେ ମଧ୍ୟ ସେବା ଦେଇଛନ୍ତି। ୧୩ ମାର୍ଚ୍ଚ ୨୦୦୮ ମସିହାରେ ସେ ଦିଲ୍ଲୀ ହାଇକୋର୍ଟରେ ଅତିରିକ୍ତ ବିଚାରପତି ରୂପେ ନିଯୁକ୍ତି ପାଇଥିଲେ। ୧୭ ଡିସେମ୍ବର ୨୦୦୯ ମସିହାରେ ସେ ସ୍ଥାୟୀ ଜଜ୍ ଭାବେ କାମ କରିବା ଆରମ୍ଭ କରିଥିଲେ। ସେ ଅତିରିକ୍ତ ବିଚାରପତି ନିଯୁକ୍ତି କାଳରେ ବରିଷ୍ଠ ଅଧିବକ୍ତା ଥିଲେ। ଗତ ସେପ୍ଟେମ୍ବର ୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ପଦ ଓ ଗୋପନିୟତାର ଶପଥ ପାଠ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.