ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡ଼ିର ବଡ଼ ପରାଜୟ ପରେ ଶିବସେନା (ୟୁବିଟି)ର ବରିଷ୍ଠ ନେତା ଅମ୍ୱାଦାସ ଦାନଭେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସର ଅତି ଆତ୍ମବିଶ୍ୱାସ (ଓଭରକନଫିଡେଣ୍ଟ) ଏବଂ ସିଟ୍ ସେୟାରିଂ ସମୟରେ ଅତି ଗର୍ବି ଅଚରଣ ଏମଭିଏ ପରାଜୟର ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।
ବିଜେପି ନେତୃତ୍ୱାଧୀନ ମହାୟୁତି ରାଜ୍ୟର ୨୮୮ ମଧ୍ୟରୁ ୨୩୦ ଆସନ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଛି । ଅନ୍ୟପଟେ କଂଗ୍ରେସ, ଏନସିପି (ଶରଦ ପାୱାର) ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ କେବଳ ୪୬ ଆସନ ଜିତିବାରେ ସକ୍ଷମ ହୋଇଛି । ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳ ନେତା ଅମ୍ୱାଦାସ ଦାନଭେ କହିଛନ୍ତି ଯେ ମହାବିକାଶ ଅଘାଡ଼ି ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମନାରେ ରଖିବାର ଥିଲା । କଂଗ୍ରେସକୁ କଟାକ୍ଷ କରି ସେ କହିଛନ୍ତି, 'ରେଜଲ୍ଟି ଆସିବା ପୂର୍ବରୁ ସେମାନେ ସୁଟ୍ ଏବଂ ଟାଇ ପିନ୍ଧିବା ପାଇଁ ପ୍ରସ୍ତୁତି କରୁଥିଲେ ।'
ଏନଡିଟିଭିକୁ ପ୍ରତିକ୍ରିୟା ଦେଇ ଦାନଭେ କହିଛନ୍ତି, ଲୋକସଭା ନିର୍ବାଚନ ପରିଣାମ ପରେ କଂଗ୍ରେସ ମହାରାଷ୍ଟ୍ରକୁ ନେଇ ଅତି ଆତ୍ମବିଶ୍ୱାସୀ ହୋଇଥିଲା, ଯାହା ହରିୟାଣା ଏବଂ ଜାମ୍ମୁ କାଶ୍ମୀରରେ ବି ଦେଖିବାକୁ ମିଳିଲା । ଆସନ ବୁଝାମଣା ବେଳେ ସେମାନଙ୍କ ଆଚରଣ ଆମକୁ କ୍ଷତି ପହଞ୍ଚାଇଛି । ଯଦି ଉଦ୍ଧର ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଥାନ୍ତା, ତେବେ ପରିଣାମ ଅଲଗା ହୋଇଥାନ୍ତା ।
ଲୋକସଭା ନିର୍ବଚାନରେ ଏମଭିଏ ସହଯୋଗୀଙ୍କ ମଧ୍ୟରୁ କଂଗ୍ରେସ ସବୁଠୁ ଅଧିକ ୧୩ ଆସନ ଜିତିଥିଲା, ଯେଉଁଥି ପାଇଁ ବିଧାନସଭା ନିର୍ବାଚନରେ ଅଧିକ ସିଟ୍ ପାଇଁ ଚାପ ପକାଇଥିଲା । ଯାହାକୁ ନେଇ ମେଣ୍ଟ ଭିତରେ ମତଭେଦ ଖବର ସାମନକୁ ଆସିଥିଲା । ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୩ ଆସନରେ ପ୍ରାର୍ଥୀ ଦେଇଥିଲା, କିନ୍ତୁ କେବଳ ୧୬ ଜଣ ପ୍ରାର୍ଥୀ ଜିତିବାରେ ସମର୍ଥ ହେଲେ । ଶିବସେନା ୟୁବିଟି ୮୯ ଆସନରେ ଲଢି ୨୦ ସିଟ୍ ଜିତିଛି । ଶରଦ ପାୱାରଙ୍କ ଏନସିପି ୮୭ ଆସନରେ ଲଢି କେବଳ ୧୦ ସିଟ୍ ଜିତିଛି ।