ନୂଆଦିଲ୍ଲୀ ୨୮।୧୧: ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ତର ଲଗାତାର ବଢିବାରେ ଲାଗିଛି। ଏଣୁ ସୁପ୍ରିମକୋର୍ଟ ଗ୍ରେଡେଡ ରେସ୍ପନସ୍ ଆକ୍ସନ ପ୍ଲାନ (ଜିଆରଏପି)-୪ କଟକଣା ହଟାଇବାକୁ ମନା କରିଦେଇଛନ୍ତି। କୋର୍ଟ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜିଆରଏପି-୪ ଜାରି ରହିବ ବୋଲି କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଜିଆରଏପି-୪ ଲାଗୁ ହେବା କାଳରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବା ଦରକାର।
ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ସ୍କୁଲକୁ ଛାଡି ଦେଲେ ବାକି ସବୁ ସ୍ଥାନରେ ଜିଆରଏପି-୪ର ଉପାୟ ୨ ଡିସେମ୍ବର ସୋମବାର ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥି ମଧ୍ୟରେ କୋର୍ଟ ବାୟୁ ଗୁଣମାନ ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ)ଙ୍କୁ ଏକ ବୈଠକ ଆୟୋଜନ କରି ଜିଆରଏପି ୪,୩ ଅଥବା ୨କୁ ଯିବା ଲାଗି ପରାମର୍ଶ ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟ କମିଶନରଙ୍କ ଠାରୁ ଜଣାପଡୁଛି ଯେ ସମ୍ବଦ୍ଧିତ ଅଧିକାରୀ ଜିଆରଏପି-୪ କଟକଣା ଉପଯୁକ୍ତ ଭାବେ ଲାଗୁ କରିବାରେ ବିଫଳ ହୋଇଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଏବେ ଡିସେମ୍ବର ୨ ତାରିଖରେ ହେବ।
ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୧୮ ତାରିଖ ସକାଳ ସାଢେ ୮ଟାରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଜିଆରଏପି-୪ କଟକଣା ଲାଗୁ ହୋଇଥିଲା। ଏହି କଟକଣା ଯୋଗୁ ଦିଲ୍ଲୀକୁ ଟ୍ରକ୍ ପ୍ରବେଶ ନିଷିଦ୍ଧ ହୋଇଛି। ଏନସିଆରରେ ସଡ଼କ, ଫ୍ଲାଇଓଭର ସମେତ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ରୋକ ଲାଗିଛି। ତେବେ ସୁପ୍ରିମକୋର୍ଟ ଏହି କଟକଣାରୁ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବାଦ ଦେଇଥିଲେ। ଏଣୁ କୋର୍ଟ ଗତ ସୋମବର ସିକ୍ୟୁଏମଙ୍କୁ ସ୍କୁଲ ଖୋଲିବା ଖୋଲିବା ପାଇଁ ବିଚାର କରିବାକୁ କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ସକାଳେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତରରେ ବୃଦ୍ଧି ଦେଖାଯାଇଛି। ଏଥିରେ ଦିଲ୍ଲୀର ଏୟାର କ୍ୱାଲିଟି ବହୁତ ଖରାପ ଶ୍ରେଣୀରେ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁସାରେ ସକାଳ ୯ଟା ବେଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୧୩ ରକେର୍ଡ କରାଯାଇଛି। ତେବେ ଦିନକ ପୂର୍ବରୁ ଅର୍ଥାତ ବୁଧବାର ସକାଳ ୯ଟା ବେଳେ ଏହା ୩୦୧ ଥିଲା। ଜାତୀୟ ରାଜଧାନୀ ବହଳ କୁହୁଡିରେ ଆଚ୍ଛାଦିତ ଥିଲା।