ଅଜିତ ପାୱାରଙ୍କ ବୟାନରୁ ବଢ଼ିଲା ମହାଯୁତୀରେ ଅଡୁଆ, କହିଲେ- ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇନଥିଲା ଚର୍ଚ୍ଚା

Published By : Prameya-News7 Bureau | November 28, 2024 IST

ନୂଆଦିଲ୍ଲୀ୨୮।୧୧: ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗତ ୫ ଦିନ ହେଲା ଅନିଶ୍ଚିତତା ଜାରି ରହିଛି। ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରାଜଧାନୀ ଦିଲ୍ଲୀରେ ଗୁରୁବାର ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଯୋଗ ଦେବା ପାଇଁ ଅଜିତ ପାୱାର ପହଞ୍ଚି ସାରିଥିବା ବେଳେ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନବୀସ ମଧ୍ୟ ଯୋଗଦେବେ। ଏହି ୩ ନେତା ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିବେ। ତେବେ ଶାହଙ୍କ ସହ ସାକ୍ଷାତ ଆଲୋଚନା ପୂର୍ବରୁ ଅଜିତ ପାୱାର ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି। 

ଏହି ସାକ୍ଷାତ ଆଲୋଚନାରେ ସାମ୍ବାଦିକ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପଚାରିଥିଲେ। ଏଥିରେ ଅଜିତ ଆମେ ଏକ ମେଣ୍ଟରେ ଅଛୁ ବୋଲି କହିଛନ୍ତି। ମେଣ୍ଟରେ କୌଣସି ନିଷ୍ପତ୍ତି ଏକାକୀ ନିଆଯାଏ ନାହିଁ। ଆଜି ଅମିତ ଶାହ ଭାଇଙ୍କ ସହିତ ବୈଠକ ଅଛି। ଆମେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବ ଏ ନେଇ ପୂର୍ବରୁ କେବେ ଚର୍ଚ୍ଚା କରିନଥିଲୁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବରୁ ଚର୍ଚ୍ଚା କଲେ ନିର୍ବାଚନରେ ମେଣ୍ଟର କ୍ଷତି ହୋଇପାରେ। ବୈଠକରେ ଆମେ ନିଷ୍ପତ୍ତି କରିବୁ କିଏ ହେବ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ? 

ସାମ୍ବାଦିକଙ୍କ ସହ ଆଲୋଚନାରେ ଏନସିପି (ଅଜିତ) ନେତା ବିରୋଧୀ ଇଭିଏମ ଉପରେ ଉଠୁଥିବା ପ୍ରଶ୍ନବାଚୀ ନେଇ କହିଛନ୍ତି। ସେ କହିଛନ୍ତି ଯେ ସଂସଦ ନିର୍ବାଚନରେ ଇଭିଏମ ସ୍ୱୀକାର ଥିଲା କାରଣ ଫଳାଫଳ ସେମାନଙ୍କ (ଏମଭିଏ) ସପକ୍ଷରେ ଥିଲା। ବିଧାନସଭା ନିର୍ବାଚନ କିନ୍ତୁ ଅଲଗା। ଏଣୁ ସେମାନେ ସୁବିଧାଜନକ ଉପାୟରେ ଇଭିଏମକୁ ଦୋଷ ଦେଉଛନ୍ତି। ସେ କହିଛନ୍ତି ଯେ ଯିଏ ବି ପରିଣାମ ଦେବାର କ୍ଷମତା ପ୍ରଦର୍ଶନ କରିବ ତାଙ୍କୁ ଅବସର ଦିଆଯିବ। ଆମେ ଯୁବ ପିଢୀଙ୍କୁ ଆଗକୁ ଆଣିବାକୁ ଚାହୁଁଛୁ ଓ ମହିଳାଙ୍କୁ ପୁରା ଅବସର ମିଳୁ ତାହା ସୁନିଶ୍ଚିତ କରିବାକୁ ଚାହୁଁଛୁ। ମହାରାଷ୍ଟ୍ରରେ ମହାଯୁତୀ ମେଣ୍ଟକୁ ମହିଳାଙ୍କ ଭରପୁର ସମର୍ଥନ ମିଳିଛି ବୋଲି ଅଜିତ ପାୱାର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.