ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ଵର ଗସ୍ତ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ, ଭିଡିଓ ଜାରି କରି କହିଲା...

Published By : Prameya-News7 Bureau | November 28, 2024 IST

News7

ଭୁବନେଶ୍ଵର: ଭୁବନେଶ୍ଵରରେ ଆୟୋଜିତ ହେଉଥିବା ଡିଜିପି ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ  ଗୁରୁପତବନ୍ତ ସିଂ ପନ୍ନୁ  ଗୁରୁବାର ଏକ ଭିଡିଓ ସନ୍ଦେଶ ଜାରି କରି ଧମକ ଦେଇଛି। ଏହି ଜାତୀୟ ସମ୍ମିଳନୀକୁ ପଣ୍ଡ କରିବା ଉଦ୍ଦେଶ୍ୟରେ ପନ୍ନୁ ଏମିତି ଧମକ ଦେଇଛି। ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଅନେକ ଉଚ୍ଚ ସ୍ତରୀୟ ସୁରକ୍ଷା ଅଧିକାରୀ ଯୋଗ ଦେବେ। ତେଣୁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ପନ୍ନୁ ଭିଡିଓରେ ମାଓବାଦୀ, କାଶ୍ମୀର ଉଗ୍ରବାଦୀ ସହିତ ଚରମପନ୍ଥୀ ସଂଗଠନକୁ ଭୁବନେଶ୍ଵରରେ ଅନୁପ୍ରବେଶ କରି ଜିଡିପି ସମ୍ମିଳନୀକୁ ପଣ୍ଡ କରିବାକୁ ଉସୁକାଉଥିବା ଦେଖିବାକୁ ମିଳିଛି। ୟୁଏପିଏ ଆଧାରରେ ଆତଙ୍କବାଦୀ ଘୋଷିତ ପନ୍ନୁ ଭୁବନେଶ୍ଵରରେ ରାମ ମନ୍ଦିର ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛି। ସେ କହିଛି ସମ୍ମିଳନୀର ଏଜେଣ୍ଡାରେ ଖାଲିସ୍ତାନୀ ଶିଖ, କାଶ୍ମୀରୀ ଲୋକ, ନକ୍ସଲ ଓ ମାଓବାଦୀଙ୍କୁ ଟାର୍ଗେଟ୍ କରିବା ନେଇ ରହିଛି।  ପନ୍ନୁ ଏହା ମଧ୍ୟ ଦାବି କରିଛି ଯେ, ଅମିତ ଶାହଙ୍କ ନେତୃତ୍ଵରେ ଏନଆଇଏ, ସିଆରପିଏଫ, ବିଏସଏଫ, ଏନଏସଜି, ଆଇବି ଓ ସିଆଇଏସଏପ ପରି ଏଜେନ୍ସିର ୨୦୦ରୁ ଅଧିକ ଅଧିକାରୀଙ୍କୁ ଏକାଠି କରି ଡିଜିପି ସମ୍ମିଳନୀରେ ଉପରୋକ୍ତ ସଂଗଠନକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିବେ। 

ପନ୍ନୁର ଏହି ଧମକ ମଧ୍ୟରେ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି। ସହରର ୬ଟି ସ୍ଥାନରେ ନୋ ଫ୍ଲାଇିଂ ଜୋନ୍ ଓ ନୋ ଡ୍ରୋନ ଜୋନ ଘୋଷଣା କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ଵାଇବି ଖୁରାନିଆ ରାଜ୍ୟ ପୋଲିସ ସବୁ ପ୍ରକାରର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ରାଜ୍ୟ ପୋଲିସ ହାଇଆଲର୍ଟରେ ରହିଛି ଏବଂ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। 

ଜିଡିପି ସମ୍ମିଳନୀ ସେହି ସମୟରେ ଆୟୋଜିତ ହେଉଛି ଯେଉଁ ସମୟରେ ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ହେଉଛି। ପୁଣି ଡିସେମ୍ବର ୪ରେ ଭାରତୀୟ ନୌସେନା ପୁରୀରେ ନୌସେନା ଦିବସ ପାଲନ କରିବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଏହି ସବୁ ଆୟୋଜନକୁ ଦୃଷ୍ଟିରେ ରଖି ପୂରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 

Also read: ଓଡ଼ିଶାରେ 'ସାବରମତି ରିପୋର୍ଟ' ଟ୍ୟାକ୍ସ ଫ୍ରି, ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା

ସୂଚନାଯୋଗ୍ୟ, ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗସ୍ତରେ ଆସି ନଭେମ୍ବର ୨୯ରେ ଭୁବନେଶ୍ଵରରେ ପହଞ୍ଚିବେ। ୨୯ ତାରିଖ ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ଜନତାଙ୍କୁ  ସମ୍ବୋଧିତ କରିବେ। ଏହା ପରେ ବିମାନ ବନ୍ଦରରୁ ରାଜଭବନ ଯାଏଁ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ରୋଡ୍ ଶୋକୁ ବାତିଲ୍ କରାଯାଇଛି। ସେଠାରୁ ଦଳୀୟ କାର୍ଯ୍ୟାଳୟକୁ ଆସି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ପାର୍ଟି ଅଫିସରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ। ଏହି ସମୟରେ ବୈଠକରେ ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ, ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ।

ଏହା ପରେ ନଭେମ୍ବର ୩୦ ଓ ଡିସେମ୍ବର ୧ରେ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ  ଯୋଗ ଦେବେ। ଡିଜିପି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ। ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଏଥିରେ ଯୋଗ ଦେବେ। ପ୍ରଥମ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଉପସ୍ଥିତ ରହିବେ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ମିଳନୀ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଲୋକ ସେବା ଭବନ, ରାଜ ଭବନ, ରାଜ୍ୟ ଗେଷ୍ଟ ହାଉସ୍, ମୈତ୍ରୀ ବିହାର ଏବଂ ଚନ୍ଦ୍ରଶେଖରପୁରରେ ଅବସ୍ଥିତ ଆଇପିଏସ୍ ମେସ୍ ପ୍ରମୁଖ ସ୍ଥାନ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.