କାନପୁର ୨୮।୧୧: ଭାରତୀୟ ପ୍ରଯୁକ୍ତି ସଂସ୍ଥାନ କାନପୁର (ଆଇଆଇଟି କାନପୁର) ଏକ ଏପରି କପଡା ତିଆରି କରିଛନ୍ତି ଯାହାର ପଛପଟକୁ ଗଲେ ନା ସୈନିକ ଦେଖାଯାଉଛନ୍ତି ନା ସେମାନଙ୍କ ଅସ୍ତ୍ରଶସ୍ତ୍ର ଦେଖାଯାଉଛି। ଯଦି ଏହି ମେଟରିଆଲକୁ ଭାରତୀୟ ସେନା ବ୍ୟବହାର କରେ ତେବେ ସୈନିକ ‘ମିଷ୍ଟର ଇଣ୍ଡିଆ’ ପାଲଟିଯିବେ। ଏହା ଏକ ମେଟା ମେଟେରିଆଲ ସର୍ଫେସ ଲକିଂ ସିଷ୍ଟମ, ଯାହା ଆମର ସୈନିକ, ଡ୍ରୋନ ଓ ବିମାନଙ୍କୁ ଶତ୍ରୁଙ୍କ ନଜରରୁ ରକ୍ଷା କରିପାରିବ।
ଏହି କପଡାର ଲାଭ ଏହା ଯେ ଏହା ନା ତ ଶତ୍ରୁର ରାଡାରରେ ଆସିବ ନା ସାଟେଲାଇଟରେ ଧରାପଡିବ। ଏହାକୁ ଇନଫ୍ରାରେଡ କ୍ୟାମେରା, ଗ୍ରାଉଣ୍ଡ ସେନସର କି ଥର୍ମାଲ ଇମେଜରରେ ବି ଦେଖାଯାଇ ପାରିବନି। ଅର୍ଥାତ ଏହି ମେଟେରିଆଲ ପଛପଟରେ କଣ ରହିଛି ତାହା ଦେଖାଯିବ ନାହିଁ। ଏହି କପଡାରେ ସୈନ୍ୟ ଗାଡ଼ିର କଭର, ସୈନିକଙ୍କ ୟୁନିଫର୍ମ ଅଥବା ଏୟାରକ୍ରାଫ୍ଟ କଭର ତିଆରି କରାଯାଇ ପାରିବ। ଏହି କପଡା ସମ୍ପୂର୍ଣ୍ଣ ସ୍ୱଦେଶୀ ଓ ବିଦେଶକୁ ଅଣାଯାଉଥିବା ସର୍ଫେସ କ୍ଲକିଂ ସିଷ୍ଟମରୁ ୬-୭ଗୁଣା ଅଧିକ ଶସ୍ତା।
ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ର.ମନିନ୍ଦ୍ର ଅଗ୍ରୱାଲ ଏହି ମେଟେରିଆଲକୁ ଉଦଘାଟନ କରିଛନ୍ତି। ଏହି ମେଟେରିଆଲକୁ ଆଇଆଇଟି କାନପୁରରେ ଅନୁଷ୍ଠିତ ଡିଫେନ୍ସ ଷ୍ଟାର୍ଟଅପ ପ୍ରଦର୍ଶନୀରେ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଆଇଆଇଟିର ୩ ବୈଜ୍ଞାନିକ ପ୍ର.କୁମାର ବୈଭବ ଶ୍ରୀବାସ୍ତବ, ପ୍ର.ଏସ.ଅନନ୍ତ ରାମକୃଷ୍ଣନ ଓ ପ୍ର.ଜେ. ରାମକୁମାର ମିଳିତ ଏହି ମେଟେରିଆଲକୁ ତିଆରି କରିଛନ୍ତି। ଏହାକୁ ପେଟଣ୍ଟ କରିବା ପାଇଁ ୨୦୧୮ ମସିହାରେ ଆବେଦନ କରାଯାଇଥିଲା, ଯାହା ଏବେ ସେମାନଙ୍କୁ ମିଳିଛି। ଭାରତୀୟ ସେନା ସହିତ ଏହି ଟେକ୍ନୋଲଜିକୁ ଗତ ୬ ବର୍ଷ ହେଲା ପରୀକ୍ଷା କରାଯାଉଛି।
ପ୍ର.କୁମାର ବୈଭବ ୨୦୧୦ ମସିହାରେ ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିଲେ। ଏହା ପରେ ଅନ୍ୟ ଦୁଇ ପ୍ରଫେସର ତାଙ୍କ ସହ ମିଶିଥିଲେ, ତା ପରେ ଯାଇ ଏହି ପ୍ରଡକ୍ଟ ତିଆରି ହୋଇଥିଲା। ୨୦୧୯ ମସିହାରେ ଭାରତୀୟ ସେନା ଏହି ଟେକ୍ନୋଲଜିକୁ ଖୋଜୁଥିଲା, ଯାହା ଦ୍ୱାରା ଶତ୍ରୁଙ୍କୁ ଚକମା ଦିଆଯାଇ ପାରିବ। ପରେ ଏହାକୁ ତିଆରି କରାଯାଇଛି। ମେଟା ତତ୍ୱ କମ୍ପାନୀର ଏମଡି ତଥା ପୂର୍ବତନ ଏୟାର ଭାଇସମାର୍ସଲ ପ୍ରବୀଣ ଭଟ୍ଟ କହିଛନ୍ତି ଯେ ଯଦି ଆପ୍ରୁଭାଲ ମିଳିଲା ଭାରତୀୟ ସେନାକୁ ଆମେ ଏହି ମେଟେରିଆଲ ବର୍ଷକ ମଧ୍ୟରେ ଯୋଗାଇ ଦେବୁ। ଏହା ଯେ କୌଣସି ପ୍ରକାରର ଇମେଜିଂ ରୋକିବାକୁ ସକ୍ଷମ।