ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ; ପ୍ରାଥମିକ ବିଦ୍ୟାଳୟ ବନ୍ଦ, GRAP-୩ କଟକଣା ଲାଗୁ

Published By : Prameya-News7 Bureau | November 15, 2024 IST

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ ଚରମ ସ୍ତରରେ । ବିଷ ବଳୟରେ ଜାତୀୟ ରାଜଧାନୀ । ଏୟାର କ୍ବାଲିଟି ଇଣ୍ଡେକ୍ସ ଖରାପ ଯୋଗୁ ଧୂଆଁ ଧୂଆଁ ହୋଇଛି ବାୟୁମଣ୍ଡଳ । କୁହୁଡ଼ି ଯୋଗୁ ଦିଲ୍ଲୀ ଏବଂ ଏନସିଆର୍ ଆଞ୍ଚଳରେ ଦୃଶ୍ୟାମାନ ହ୍ରାସ ପାଇଛି । ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ନିଶ୍ୱାସ ନେବା କଷ୍ଟକର ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରଥାମିକ ସ୍କୁଲକୁ ବନ୍ଦ କରିଛନ୍ତି । ପରିବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଅନଲାଇନରେ କ୍ଲାସ ଚାଲିବ ।

ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଚାଲିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି । ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଶୁକ୍ରବାର ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ୪୦୯ରେ ପହଞ୍ଚିଛି । ଦିଲ୍ଲୀର ୨୧ଟି ସ୍ଥାନରେ ବାୟୁ ଗୁଣବତ୍ତା ନିମ୍ନମାନର ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଶୁକ୍ରବାର ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ ରହିଛି । ଜାହାଙ୍ଗୀରପୁରୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୮ ରେକର୍ଡ କରାଯାଇଛି । ବାଓ୍ବାନା ଏବଂ ଓ୍ବାଜିରପୁରରେ AQI ୪୫୫ ରହିଛି । ରୋହିଣୀ ଅଞ୍ଚଳରେ AQI  ୪୫୨ ରହିଥିବା ବେଳେ ପଞ୍ଜାବୀ ବାଗ ୪୪୩ରେ ପହଞ୍ଚିଛି । 

ବାୟୁ ପ୍ରଦୂଷଣ ପାଇଁ ଜାତୀୟ ରାଜଧାନୀରେ ଆଜିଠୁ GRAP-୩ କଟକଣା ଲାଗୁ ହୋଇଛି । ଗ୍ରେଡ-୩ କଟକଣା ମଧ୍ୟରେ ଦିଲ୍ଲୀରେ ବିଏସ-୩ ଓ ବିଏସ-୪ ଡିଜେଲ ଚାରି ଟକିଆ ଗାଡି ଚଳାଚଳ ଉପରେ କଟକଣା ରହିବ। ଦିଲ୍ଲୀରେ ହାଲୁକା ବ୍ୟବସାୟିକ ଯାନ, ଡିଜେଲ ଟ୍ରକର ପ୍ରବେଶ ଉପରେ କଟକଣା ରହିଛି । ଅନାବଶ୍ୟକ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଉଚ୍ଛେଦ କାର୍ଯ୍ୟ ମଧ୍ୟ ବନ୍ଦ ରହିବ । ହୋଟେଲ, ରେସ୍ତୋରାଁରେ ତନ୍ଦୁର ଚୁଲିରେ କୋଇଲା ଏବଂ କାଠ ଜାଳିବା ଉପରେ କଟକଣା ରହିଛି । କେବଳ ଜରୁରୀକାଳୀନ କାର୍ଯ୍ୟ ପାଇଁ ଡିଜେଲ ଜେନେରେଟରର ବ୍ୟବହାର ହୋଇପାରିବ। ଶିଳ୍ପରେ ଅଣସ୍ଵୀକୃତି ଇନ୍ଧନର ବ୍ୟବହାରରେ କଟକଣା ଲାଗିଛି। ଧୂଳିକୁ କମ କରିବାକୁ ରାସ୍ତାରେ ପାଣି ସିଂଚନ ଉପରେ ଗୁରୁତ୍ଵ ଦିଆଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.