ମୁମ୍ଵାଇ ୧୫।୧୧; କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୟ ଚକ୍ରବର୍ତ୍ତୀ ମୁମ୍ବାଇରୁ ଗିରଫ ହୋଇଛନ୍ତି। ସଙ୍ଗୀତ କ୍ଲାସରେ ଜଣେ ନାବାଳିକା ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗରେ କଣ୍ଠଶିଳ୍ପୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଏହା ମଧ୍ୟ କହିଛି ଯେ ଅଭିଯୁକ୍ତଙ୍କୁ ମୁମ୍ବାଇରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କୋଲକାତା ଅଣାଯାଇଛି । ଛାତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ କୋଲକାତା ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ ସଞ୍ଜୟ ଚକ୍ରବର୍ତ୍ତୀ।
ମୁମ୍ବାଇ ପୋଲିସ ସହଯୋଗରେ ସଞ୍ଜୟଙ୍କୁ ଗିରଫ କରିଛି କୋଲକାତା ପୋଲିସ। କୋଲକାତାରେ ସେ ଏକ ସଙ୍ଗୀତ ଶିକ୍ଷାକେନ୍ଦ୍ର ଚଳାଉଥିଲେ। ଏହି ଶିକ୍ଷାକେନ୍ଦ୍ରର ହିଁ ଜଣେ ନାବାଳିକା ଛାତ୍ରୀ କିଛିଦିନ ପୂର୍ବରୁ ସଞ୍ଜୟ ଚକ୍ରବର୍ତ୍ତୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ। ଏହାପରେ ଗିରଫ ଭୟରେ କୋଲକାତା ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ ସଞ୍ଜୟ। ସେଠାରେ ସେ ନିଜ ସାଙ୍ଗ ଘରେ ଲୁଚି ରହିଥିଲେ। ମୁମ୍ବାଇ ପୁଲିସ ଖବର ପାଇ ଅଧିକାରୀଙ୍କ ସହଯୋଗରେ ସଞ୍ଜୟଙ୍କୁ ଗିରଫ କରିଥିଲା ।
କୋଲକାତା ପୋଲିସ ସୂଚନା ଅନୁସାରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇରୁ ଗିରଫ କରିବା ପରେ ତାଙ୍କୁ କୋଲକାତା ଆଣି ଗୁରୁବାର ନିମ୍ନ ଅଦାଲତରେ ହାଜର କରାଯାଇଥିଲା। ନଭେମ୍ବର ୧୮ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ପୋଲିସ ହେପାଜତକୁ ପଠାଇଛନ୍ତି।