ମୁମ୍ବାଇ,୦୨/୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସସ୍ପେନ୍ସରେ ସୋମବାର ପଡ଼ିବ ପୂର୍ଣ୍ଣଚ୍ଛେଦ । ଭାରତୀୟ ଜନତା ପାର୍ଟି ଦେବେନ୍ଦ୍ର ଫଡନବିସଙ୍କ ନାମ ଚୂଡ଼ାନ୍ତ କରିଥିବା ବେଳେ ଆଜି ନାଁ ଘୋଷଣା ହେବ ବୋଲି କୁହାଯାଉଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ, ମହାରାଷ୍ଟ୍ରରେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ୨ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ । ଏପଟେ ଡିସେମ୍ବର ୫ ତାରିଖରେ ଶପଥ ସମାରୋହ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
ସେପଟେ ସତାରାସ୍ଥିତ ନିଜ ଗାଁରୁ ମୁମ୍ବାଇ ଫେରିବା ପୂର୍ବରୁ ଏକନାଥ ସିନ୍ଦେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ଗଣମାଧ୍ୟମ ସହ କଥା ହୋଇ ସେ କହିଥିଲେ, ମହାୟୁତିରେ କୌଣସି ମତଭେଦ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ଯାହା ବି ନିଷ୍ପତ୍ତି ନେବେ ତା’କୁ ମୁଁ ନିଃସର୍ତ୍ତ ଗ୍ରହଣ କରିବି । ସିନ୍ଦେ ଶୁକ୍ରବାର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ନିଜ ପୈତୃକ ଗ୍ରାମ ସତାରା ଚାଲିଯାଇଥିଲେ । ଜ୍ୱର ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ବ୍ୟସ୍ତବହୁଳ ନିର୍ବାଚନୀ କାର୍ଯ୍ୟକ୍ରମ ପରେ ସାମାନ୍ୟ ଆରାମ କରିବାକୁ ଗ୍ରାମକୁ ଆସିଥିଲି । ସିନ୍ଦେ କହିଛନ୍ତି, ସୋମବାର ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି ନିଆଯିବ । ଯାହା ବି ନିଷ୍ପତ୍ତି ହେବ, ତାକୁ ଶିବସେନା ସିନ୍ଦେ ଗୋଷ୍ଠୀ ସ୍ୱୀକାର କରିବ ବୋଲି ସେ କହିଛନ୍ତି ।
ତେବେ ଗୃହ ମନ୍ତ୍ରଣାଳୟକୁ ନେଇ ରହିଥିବା ମତଭେଦ ବାବଦରେ ସେ କିଛି କହିନାହାନ୍ତି । ସୂତ୍ର ମୁତାବକ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ପଦ ନେବାକୁ ରାଜି ଅଛନ୍ତି । କିନ୍ତୁ ସେ ଗୃହ ମନ୍ତ୍ରଣାଳୟ ବି ଦାବି କରୁଛନ୍ତି । ହେଲେ ବିଜେପି କୌଣସି ମତେ ଏହାକୁ ଛାଡ଼ିବାକୁ ଚାହୁଁନାହିଁ । ତେଣୁ ସୋମବାର କିଭଳି ବିଜେପି ଓ ଶିବସେନା ସିନ୍ଦେ ଗୋଷ୍ଠୀ ମଧ୍ୟରେ ମନାନ୍ତରର ଅନ୍ତ ଘଟିବ, ତାହା ଉପରେ ନଜର ରହିଛି । ରାଜ୍ୟ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଇତିମଧ୍ୟରେ ୮ ଦିନ ବିତିଛି । ତଥାପି ନୂଆ ସରକାର ଗଠନ ହୋଇପାରି ନାହିଁ । ଡିସେମ୍ବର ୫ରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଘୋଷଣା କରାଯାଇଛି ।