ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ, ସେଲଫି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ଭକ୍ତ

Published By : Prameya-News7 Bureau | July 16, 2024 IST

ପୁରୀ: ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲକୁ ନେଇ ବେଶ୍‌ ବିବାଦ ଦେଖିବାକୁ ମିଳିଛି। କେତେବେଳେ ଶ୍ରୀମନ୍ଦିର ଭିତରେ ଭକ୍ତ ସେଲଫି ନେବାର ତ’ କେତେବେଳେ ସର୍ଟ ଭିଡିଓ ମଧ୍ୟ କରୁଥିବାର ଭିଡିଓ ଦେଖିବାକୁ ମିଳିଛି।

ଏହାର ମଧ୍ୟରେ ପୁଣି ଥରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ । ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଛନ୍ତି ଜଣେ ବ୍ୟକ୍ତି। ଫୋଟୋ ଭାଇରାଲ୍ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜା ସାକାର। ନିଜ ସୋସିଆଲ ମିଡିଆରେ ରାଜା ଏହି ଫୋଟୋ ଭାଇରାଲ୍ କରିଥିବା ବେଳେ ଏହାକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। 

ତେବେ ଶ୍ରୀମନ୍ଦିର ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେଲେ ଏବଂ ସେଲଫି ଉଠାଇବାକୁ ସାହସ କଲେ ସେନେଇ ପ୍ରଶ୍ନ ଉଠିଛି। ଅବଶ୍ୟ ଏହି ଫୋଟୋ କେବେ ଉଠାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। 

ସେପଟେ ଶ୍ରୀମନ୍ଦିର ଭିତରେ ବାରମ୍ବାର ଏଭଳି ଫଟୋ ଏବଂ ଭିଡିଓ ଭାଇରାଲ ହେଉଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ତୁରନ୍ତ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.