ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ପିଛା ଛାଡ଼ୁନି ବିବାଦ, ପୋଡ଼ିଗଲା ମୁଖ୍ୟ ମନ୍ଦିରରେ ଲାଗିଥିବା ପତାକା

Published By : Prameya-News7 Bureau | July 15, 2025 IST

ପୁରୀ:  ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି ।  ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ଲଗାତର ବିବାଦରେ ରହିଥିବା ମମତା ଦିଦିଙ୍କୁ ପଡିଛି ଦଇବ ଚଡକ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସୋସିଆଲ ପୋଷ୍ଟକୁ ନେଇ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ଦୀଘା ଜଗନ୍ନାଥ ମନ୍ଦିର । ବଜ୍ରପାତ ଯୋଗୁଁ ମୁଖ୍ୟ ମନ୍ଦିର ଉପରେ ଲାଗିଥିବା ପତାକା ପୋଡିଯାଇଥିବା କଥା ସାମ୍ନାକୁ ଆଣିଛନ୍ତି ଏହି ବିଜେପି ନେତା। ଏଭଳି ଘଟଣାକୁ ନେଇ ଏବେ ପୁରୀରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା  । ସେବାୟତଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ମମତା ବାନାର୍ଜୀଙ୍କ ଅହଙ୍କାରକୁ ଦାୟୀ କରିଛନ୍ତି । ଏଥି ସହ ମନ୍ଦିର ନିର୍ମାଣଶୈଳୀରେ ଭୁଲ୍ ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଚର୍ଚ୍ଚା ହେଉଛି ।

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ପିଛା ଛାଡ଼ୁନି ବିବାଦ । ସାମ୍ନାକୁ ଆସିଛି ଆଉ ଏକ ଅଘଟଣ । ବଜ୍ରପାତରେ ପୋଡ଼ିଗଲା ମୁଖ୍ୟ ମନ୍ଦିରରେ ଲାଗିଥିବା ପତାକା ।  ଅଘଟଣକୁ ନେଇ ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ।  ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଏହାକୁ ଜଗନ୍ନାଥ ଧାମ୍ ନାମକରଣ କରି ବିବାଦକୁ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  

Also read: 'ସୌମ୍ୟାଶ୍ରୀ କହିଥିଲେ ସମୀର୍ ସାର୍ ତାଙ୍କୁ ଦୁର୍ବ୍ୟବାହାର କରୁଥିଲେ' : ଆଇସିସି କମିଟିର ସଦସ୍ୟା

ତେବେ ବଜ୍ରପାତରେ ମୁଖ୍ୟ ମନ୍ଦିରର ପତାକା ପୋଡ଼ିଯିବା ଘଟଣା ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିର ପ୍ରତି ଆହୁରି ବିପଦ ରହିଛି ।  ଆମିଷ ଭକ୍ଷଣ କରି ମନ୍ଦିରରେ ପଶିବା,  ଶାସ୍ତ୍ର ଅନୁକରଣ ନକରି ପୂଜା କରିବା, ରଥର ରଶିକୁ ଜୋତାରେ ଦଳି ଦେବା ଭଳି ଘୋର ଅନ୍ୟାୟ କରାଯାଉଥିବା ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଶୁଭେନ୍ଦୁ ଅଧିକାରୀ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ପଶ୍ଚିମବଙ୍ଗ ସରକାରଙ୍କ ଗର୍ବ ଓ ଅହଙ୍କାର ଯୋଗୁଁ ଏଭଳି ଅଘଟଣ ଘଟୁଥିବା କହିଛନ୍ତି ଜଗୁନି । 

ସେପଟେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଆରମ୍ଭରୁ ବିବାଦରେ ରହିଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେତେବେଳେ ତାହାକୁ ଜଗନ୍ନାଥ ଧାମ୍ ନାମ ଦେଇ ବିବାଦକୁ ଆସିଛନ୍ତି ତ ଆଉ କେତେବେଳେ ପଶ୍ଚିମବଙ୍ଗ ଶ୍ରଦ୍ଧାଳୁଙ୍କୁ ପୁରୀ ନଯିବାକୁ କହି ନିଜ ଅହଂକାରର ପରିଚୟ ଦେଇଛନ୍ତି ଦିଦି। ଗଜପତି ମହାରାଜାଙ୍କ ଠାରୁ ଆରମ୍ଭ କରି ଶଙ୍କରାଚାର୍ଯ୍ୟ, ଓଡିଶା ସରକାର, ବିଭିନ୍ନ ସଙ୍ଗଠନର କଡା ବିରୋଧ ସତ୍ତ୍ବେ ଜଗନ୍ନାଥ ଧାମ୍ ହଟିନଥିବା ବେଳେ ଏବେ ବଜ୍ରପାତରେ ପତାକା ପୋଡିଯିବା ଦିଦିଙ୍କୁ ଦଇବ ମାଡ ବୋଲି ମତ ପ୍ରକାଶ ପାଇଛି। 

ସେପଟେ ଦୀଘା ଜଗନ୍ନାଥ ମନ୍ଦିରର ନିର୍ମାଣଶୈଳୀ ଭୁଲ୍ ଯୋଗୁଁ ଏଭଳି ଅଘଟଣ ଘଟିଥିବା କହିଛନ୍ତି ବରିଷ୍ଠ ସ୍ତମ୍ଭକାର ହରିଶଙ୍କର ମିଶ୍ର।   ତେଣୁ ଦିଦି ନିଜ ଗର୍ବ ଅହଙ୍କାର ତ୍ୟାଗ କରି ପୁରୀ ଆସି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି । ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସହ ତାହାକୁ ମୂଳ ପୀଠ ପୁରୀ ଶ୍ରୀମନ୍ଦିର ସହ ସମାନ ଦେଖାଇବାର ଦୁଃସାହସ ଦିଦିଙ୍କୁ ଦିନକୁ ଦିନ ମହଙ୍ଗା ପଡ଼ିବାରେ ଲାଗିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.