ମୁମ୍ଵାଇ ୨୭।୦୩; କ୍ରିଟିକ୍ସ ଚଏସ୍ ଆୱାର୍ଡସ୍-୨୦୨୫ର ବିଜେତାଙ୍କ ନାଁ ଘୋଷଣା ହୋଇଛି । ଭାରତର ଫିଚର୍ ଫିଲ୍ମ, କ୍ଷୁଦ୍ର ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ ଓ ୱେବ୍ ସିରିଜ୍ରେ ଉଲ୍ଲେଖନୀୟ କୃତିତ୍ୱକୁ ଏହି ଉତ୍ସବ ସମ୍ମାନିତ କରେ । ଏ ଥର ଏହି ସମ୍ମାନାସ୍ପଦ ସମାରୋହରେ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ଓ ‘ଦିଲଜିତ୍ ଦୋସାଞ୍ଜଙ୍କ ‘ଅମର ସିଂହ ଚମ୍କିଲା’କୁ ବଡ଼ ପୁରସ୍କାର ମିଳିଛି । ଦମ୍ଦାର କାହାଣୀ ଓ କଳାତ୍ମକ ଉତ୍କର୍ଷ ପାଇଁ ଫିଚର୍ ଫିଲ୍ମ ବିଭାଗରେ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’କୁ ମିଳିଛି ଶ୍ରେଷ୍ଠ ଫିଚର୍ ଫିଲ୍ମ ସମ୍ମାନ । ଏହାର ନିର୍ଦ୍ଦେଶିକା ପାୟଲ କପାଡ଼ିଆ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଛନ୍ତି ।
ଶ୍ରେଷ୍ଠ ସିନେମାଟୋଗ୍ରାଫି ପୁରସ୍କାର ମଧ୍ୟ ଏହି ଫିଲ୍ମକୁ ମିଳିଛି । ସେହିପରି ଫିଲ୍ମ ‘ଅମର ସିଂହ ଚମ୍କିଲା’ରେ ଦମ୍ଦାର ପ୍ରଦର୍ଶନ ପାଇଁ କ୍ରିଟିକ୍ସ ଚଏସ୍ ଶ୍ରେଷ୍ଠ ଅଭିନେତା ସମ୍ମାନ ଲାଭ କରିଛନ୍ତି ଦିଲଜିତ୍ ଦୋସାଂଝ । ଏ ଅବସରରେ ପୁରସ୍କାର ଗ୍ରହଣ କରି ଦିଲଜିତ୍ ଫିଲ୍ମ କ୍ରିଟିକ୍ସ ଗିଲ୍ଡକୁ ଧନ୍ୟବାଦ ଦେଲେ । ଅମର ସିଂହ ଚମ୍କିଲା ଓ ଫିଲ୍ମମେକର୍ ଇମ୍ତିଆଜ ଅଲିଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କଲେ । ପୂରା ଫିଲ୍ମ ଟିମ୍କୁ ବି ଧନ୍ୟବାଦ ଦେଲେ । ଫିଲ୍ମ ‘ପାରାଡାଇଜ୍’ରେ ସୁନ୍ଦର ଅଭିନୟ ପାଇଁ କ୍ରିଟିକ୍ସ ଚଏସ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଭ କରିଛନ୍ତି ଦର୍ଶନ ରାଜେନ୍ଦ୍ରନ । ସେହିପରି ଫିଲ୍ମ ‘ଲାପତା ଲେଡିଜ୍’ରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଛନ୍ତି ରବି କିଶନ ।
‘ଗର୍ଲସ ୱିଲ୍ ବି ଗର୍ଲସ୍’ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ପାଇଛନ୍ତି କାନୀ କୁଶ୍ରୁତି । ୱେବ୍ ସିରିଜ୍ ବିଭାଗରେ ଏକାଧିକ ବିଭାଗରେ ବାଜି ମାରିଛି ‘ପୋଚର୍’ । ଶ୍ରେଷ୍ଠ ୱେବ୍ ସିରିଜ୍, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଅଭିନେତ୍ରୀ ଓ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଓ ସହ-ଅଭିନେତ୍ରୀ ଏବଂ ଲିଖନ ଭଳି ବଡ଼ ପୁରସ୍କାର ଜିତି ଏହା ଡିଜିଟାଲ ଜଗତରେ ନିଜର ପ୍ରତିଭା ପ୍ରଦର୍ଶନ କରିଛି।