ଦାରିଙ୍ଗବାଡି: ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଏସପି ହରିଶ ବି.ସି ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ବ୍ୟକ୍ତିଗତ ଭାବେ ୭୯ ଓ ସାମୁହିକ ଭାବେ ୬୯ଟି ଅଭିଯୋଗ ହୋଇଥିଲା। ଚଳିତ ଅଭିଯୋଗ ଶୁଣାଣିରେ ସର୍ବାଧିକ ୧୪୮ଟି ଅଭିଯୋଗ ଶୁଣିଥିଲେ ଜିଲ୍ଲାପାଳ।
ସେଥି ମଧ୍ୟରୁ ଅନେକ ଅଭିଯୋଗ ପୂର୍ବ ଅଭିଯୋଗ ଶୁଣାଣୀ ଗୁଡ଼ିକରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏହାର ସମାଧାନ ହୋଇନଥିବା ଲୋକେ ଅଭିଯୋଗ କରିଥିଲେ। ଅନେକ ଅଭିଯୋଗ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ଆସିଥିଲା। ସୀମନବାଡ଼ି ଠାରୁ ସିକନବାଡ଼ି ପୂର୍ତ୍ତ ବିଭାଗ ରାସ୍ତା ବହୁ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ି ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରାଯାଉନାହିଁ। ଫଳରେ ରାସ୍ତା ସାରା ଗୋଡ଼ି ମେଟାଲ ପଡି ରହିବା ସହ ଗାଡ଼ି ଯାତାୟତ କରିଲେ ଧୂଳି ଉଡୁଛି।
ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବାଡ଼ାବାଙ୍ଗା ଗ୍ରାମବାସୀ ବହୁ ବର୍ଷ ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ତାହାରି ସମାଧାନ ହେଉନାହିଁ। ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ପୁଣି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ସେହିପରି ନେଟୱର୍କ ସେବା, ନୂତନ ରାସ୍ତା ନିର୍ମାଣ, ଭତା, ରାସନ୍ କାର୍ଡ, ଆବାସ ଯୋଜନାରେ ସାମିଲ, ଚିକିତ୍ସା ନିମନ୍ତେ ସହାୟତା ରାଶି ପ୍ରଦାନ ଭଳି ଅନେକ ଅଭିଯୋଗ ଆସିଥିଲା । ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ନୂତନ ଭତା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବା ବେଳେ ଭୂଲେଖ ରେକର୍ଡ ଭୁକ୍ତ ୪୨ ଜଣଙ୍କୁ ଜଙ୍ଗଲଜମି ପଟା ଓ ଦାରିଙ୍ଗବାଡି ଅଞ୍ଚଳର ୨୦ ଜଣଙ୍କୁ ବସୁନ୍ଧରା ଯୋଜନାରେ ୧୬ ଆର ଘରବାରି ପଟା ବଣ୍ଟନ କରିଥିଲେ।
ଅଭିଯୋଗ ଶୁଣାଣିରେ ଉପଜିଲ୍ଲାପାଳ ଡା. ରୀନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଶରତ ଶବରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।