ରାଜ୍ୟପାଳଙ୍କ ଗସ୍ତ ବେଳେ ଅବ୍ୟବସ୍ଥା, ଦୀର୍ଘ ଏକ ଘଣ୍ଟା ଅନ୍ଧାରରେ ରହିଲେ

Published By : Prameya-News7 Bureau | April 20, 2025 IST

ପୁରୀ ୨୦।୪: ରାଜ୍ୟପାଳଙ୍କ ଗସ୍ତ ସମୟରେ ଅଭାବନୀୟ ଘଟଣା। ଦୀର୍ଘ ଏକ ଘଣ୍ଟା କାଳ ଅନ୍ଧାରରେ ରହିଲେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି । ହେଲେ ବିଦ୍ୟୁତ୍ ଯୋଗାଣ କରିପାରିଲା ନାହିଁ ଟାଟା ପାୱାର। ଶନିବାର ସନ୍ଧ୍ୟାରେ ପୁରୀରେ ଏଭଳି ଅଭାବନୀୟ ଘଟଣା ନଜରକୁ ଆସିଛି। ରାଜ୍ୟପାଳଙ୍କ ଗସ୍ତ ବେଳେ ଟାଟା ପାୱାର ବିଦ୍ୟୁତ୍ ଯୋଗାଣ ନ କରିବାକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ସୂଚନାଯୋଗ୍ୟ ଯେ, ଶନିବାର ରାଜ୍ୟପାଳ ପୁରୀ ସୁଭାଷ ବୋଷ ଛକ ନିକଟ ବୈଷ୍ଣବ ଦେବୀ ଲେନ୍‌କୁ ପରିଦର୍ଶନରେ ଯାଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ  ରେଣୁବାଳା ପଣ୍ଡା ଓ ରାଧାରାଣୀ ଦେବନାଥଙ୍କ ଘରକୁ ଯାଇ ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସରକାରଙ୍କ ଯୋଜନା ଠିକ୍ ମିଳି ପାରୁଛି କି ନାହିଁ ତାହା ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ। ପ୍ରାୟ ଏକ ଘଣ୍ଟା କାଳ ରାଜ୍ୟପାଳ ହରିବାବୁ କମ୍ଭମପତି ସେଠାର ରହିଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ରାଜ୍ୟପାଳ ପ୍ରାୟ ଏକ ଘଣ୍ଟା ଟର୍ଚ୍ଚ ଲାଇଟ୍ ରେ ଲୋକଙ୍କ ନିକଟରେ ରହି କଥା ହୋଇଥିଲେ। ଦୀର୍ଘ ଏକ ଘଣ୍ଟା ଭିତରେ ମଧ୍ୟ ଟାଟା ପାୱାର ବିଦ୍ୟୁତ୍ ଯୋଗାଣ କରିପାରି ନଥିଲା। ସ୍ଥାନୀୟ ଅଞ୍ଚଳରେ ଭୂତଳ ବିଦ୍ୟୁତ୍ କେବୁଲ ମରାମତି କାର୍ଯ୍ୟ ଚାଲୁଥିବାରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିଲା। ତେବେ ଉକ୍ତ ଅଞ୍ଚଳକୁ ରାଜ୍ୟପାଳଙ୍କ ଗସ୍ତ ଥିବାବେଳେ କାହିଁକି ଟାଟା ପାୱାର ପକ୍ଷରୁ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରାଯାଇନଥିଲା ସେ ନେଇ ପ୍ରଶ୍ନ ଉଠିଛି। ସବୁଠୁ ବଡ କଥା ହେଉଛି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ବିକଳ୍ପ ତଥା ଡିଜି ବ୍ୟବସ୍ଥା କରାଯାଇ ନଥିଲା। ରାଜ୍ୟପାଳଙ୍କ ଗସ୍ତକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ଟାଟା ପାୱାରର ଅବହେଳାକୁ ନେଇ ସାଧାରଣରେ କଡା ସମାଲୋଚନା କରାଯାଇଛି। ଯଦି ରାଜ୍ୟପାଳଙ୍କୁ ଟାଟା ପାୱାର କର୍ତ୍ତୃପକ୍ଷ ଅବହେଳା କରୁଛନ୍ତି ତେବେ ସାଧାରଣ ବିଦ୍ୟୁତ୍ ଗ୍ରାହକଙ୍କ ପ୍ରତି କେତେ ଗୁରୁତ୍ଵ ଥିବା ତାହା ଏଥିରୁ ସ୍ପଷ୍ଟ ହୋଇଛି। ଏହି ଘଟଣା ର ତୁରନ୍ତ ତଦନ୍ତ କରାଯାଇ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଏଭଳି ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି। 

You Can Read: 

ଆଗାମୀ ୫ ବର୍ଷରେ ରାଜ୍ୟରେ ଆହୁରି ୧୫ଲକ୍ଷ ହେକ୍ଟର ଜମି ହେବ ଜଳ ସେଚିତ : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.