କ୍ଷମତାକୁ ଆସିଲେ ଦେଶରୁ ଚରମପନ୍ଥୀ ଇସ୍‌ଲାମ ଆତଙ୍କବାଦୀଙ୍କୁ ବିଦା କରିବି: ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | June 16, 2024 IST

indiatoday

ନୂଆଦିଲ୍ଲୀ: ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ଯଦି ସେ ନିର୍ବାଚିତ ହୋଇ ପୁଣିଥରେ କ୍ଷମତାକୁ ଆସନ୍ତି ତେବେ ଆମେରିକା ଇତିହାସରେ ସବୁଠାରୁ ବଡ଼ ଦେଶାନ୍ତର ଅପରେସନ କରାଇବେ ବୋଲି ଟ୍ରମ୍ପ କହିଛନ୍ତି। ଚରମପନ୍ଥୀ ଇସ୍ଲାମ ମାନସିକତାର ଲୋକଙ୍କୁ ଆମେରିକାରୁ ବିଦା କରିବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। 

ମିଚିଗାନ୍‌ରେ ଏକ ସମ୍ମିଳନୀକୁ ସମ୍ବୋଧନ କରି ଟ୍ରମ୍ପ ଭୋଟରଙ୍କୁ ନିଜ ସପକ୍ଷେର ଭୋଟ୍ ଦେବାକୁ ଉତ୍ସାହିତ କରିଛନ୍ତି। ଏମିତି ଜଣେ ରାଷ୍ଟ୍ରପତିଙ୍କୁ ଭୋଟ୍ ଦିଅନ୍ତୁ ଯିଏ ଚରମପନ୍ଥୀ ଇସ୍‌ଲାମ ଆତଙ୍କବାଦୀଙ୍କୁ ଦେଶରୁ ବିଦା କରିବ ବୋଲି ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି “ନଭେମ୍ବରରେ ପ୍ରତ୍ୟେକ ଭୋଟରଙ୍କ ପାଇଁ ପସନ୍ଦ ସ୍ପଷ୍ଟ ହୋଇଯିବ। ଆପଣଙ୍କ ପାଖରେ ଏମିତି ଜଣେ ରାଷ୍ଟ୍ରପତି ରହିପାରନ୍ତି ଯିଏ ହଜାର ହଜାର ଚରମପନ୍ଥୀ ଆତଙ୍କବାଦୀଙ୍କୁ ଆମ ଦେଶକୁ ଆଣିଛନ୍ତି, ନହେଲେ ଆପଣଙ୍କୁ ଏମିତି ଜଣେ ରାଷ୍ଟ୍ରପତି ମିଳିବେ ଯିଏ ଇସଲାମୀୟ ଆତଙ୍କବାଦୀଙ୍କୁ ଆମ ଦେଶରୁ ନର୍କକୁ ପଠାଇପାରିବାର ନିଷ୍ପତ୍ତି ନେଇପାରିବ।”

ଟ୍ରମ୍ପ ପ୍ରତିଶ୍ରୁତି ଦେଇ କହିଛନ୍ତି “ମୋର ନୂତନ ପ୍ରଶାସନର ପ୍ରଥମ ଦିନରେ, ଆମେ ଆମେରିକାର ଇତିହାସରେ ସବୁଠାରୁ ବଡ ଦେଶାନ୍ତର କାର୍ଯ୍ୟ ଆରମ୍ଭ କରିବୁ। ଆମ ପାଖରେ ଏହାର କୌଣସି ବିକଳ୍ପ ନାହିଁ। ତେବେ ଏହା ସ୍ଥାୟୀ ନୁହେଁ।”

ସୂଚନା ଥାଉକି ଆମେରିକା ନିର୍ବାଚନରେ ବଡ଼ ପ୍ରସଙ୍ଗ ହୋଇଛି ଅନୁପ୍ରବେଶ। ଯାହାକୁ ନେଇ ରିପବ୍ଲିକାନ ପାର୍ଟି ଆଗକୁ ବଢ଼ିଛି। ଏହାକୁ ନେଇ ଟ୍ରମ୍ପ ବାଇଡେନ ସରକାରଙ୍କୁ ଘେରୁଛନ୍ତି। ଏହାକୁ ନିର୍ବାଚନ ପ୍ରସଙ୍ଗ ବନାଇ ସଫଳତା ପାଇବାକୁ ଚେଷ୍ଟା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.