ସାଧାରଣତଃ ସମସ୍ତେ ବିଳାସପୂର୍ଣ୍ଣ ରିସୋର୍ଟ ବିଷୟରେ ଜାଣିଥିବେ କିମ୍ବା ଶୁଣିଥିବେ । କିନ୍ତୁ କେବେ ପବନରେ ରିସୋର୍ଟ ହେବା ଶୁଣିଛନ୍ତି କି । ତା ପୁଣି ସବୁ ସୁବିଧା ସହିତ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଅଦ୍ଭୁତ ରିସୋର୍ଟ ତିଆରି କରିବ ଦୁବାଇ । ଦୁବାଇ ସାଧାରଣତଃ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଆଲିସାନ୍ ସ୍କାଇସ୍କାପର୍ସ ବା କୋଠା ପାଇଁ ଜଣାଶୁଣା। ଦୁବାଇରେ ରହିଛି ଅନେକ ସୁନ୍ଦର କୋଠା ଏବଂ ରିସର୍ଟ । ଖାସ୍ କରି ବିଶ୍ୱର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ମଧ୍ୟ ଏଠାରେ ରହିଛି । ଏବେ ଦୁବାଇରେ ଆଉ ଏକ ଅନନ୍ୟ ରିସୋର୍ଟ ନିର୍ମାଣ କରିବାକୁ ଯାଉଛି ।
ପବନର ଆଲିସାନ୍ ରିସୋର୍ଟ ନିର୍ମାଣ ନେଇ ହୋଇଛି ଘୋଷଣା । ଏହି ରିସୋର୍ଟ ଜାବିଲ୍ ପାର୍କରେ ହେବ ନିର୍ମାଣ । ବିଲ୍ଡିଂର ନାଁ ହେବ 'ଥର୍ମା ଦୁବାଇ' । ଖୁବ୍ଶୀଘ୍ର ଆରମ୍ଭ ହେବ ରିସୋର୍ଟର ନିର୍ମାଣ କାର୍ଯ୍ୟ । ଏହା ଆର୍କିଟେକଚରର ହେବ ଏକ ଅଦ୍ଭୁତ ଚମତ୍କାର ଉଦାହରଣ । ଏହି ଭବ୍ଯ ରିସୋର୍ଟ ୧୦୦ ମିଟର ଉଚ୍ଚତାରେ ନିର୍ମାଣ ହେବ। ବର୍ତ୍ତମାନ ରିସୋର୍ଟର 3D ଭିଡିଓ ସୋଶିଆଲ୍ ମିଡିଆରେ ସେୟାର କରାଯାଇଛି । ଏହି ଭିଡିଓରେ ଭବିଷ୍ୟତର ଏହି ବିଳାସପୂର୍ଣ୍ଣ ରିସୋର୍ଟର ଝଲକ ଦେଖିବାକୁ ମିଳିଛି । ଏହାର ଭିତର ଏବଂ ବାହାରର ଗଠନ କ’ଣ ହେବ ? ଏହା କେତେ ବଡ଼ ହେବ ? ଏହାର ବୈଶିଷ୍ଟ୍ୟ କ’ଣ ରହିବ, ଏସବୁ ଏଥିରେ ଦର୍ଶାଯାଇଛି ।
ଦୁବାଇର ଯୁବରାଜ ଶେଖ୍ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମ୍ ଏହି ଏୟାର ରିସୋର୍ଟ ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ଏହି ରିସୋର୍ଟ ୫୦୦ ହଜାର ବର୍ଗଫୁଟ ଅଞ୍ଚଳରେ ପରିବ୍ୟପ୍ତ ହେବ। ଏଥିରେ ତିନୋଟି କ୍ଷେତ୍ର ରହିବ । 'ପୁନଃସ୍ଥାପନ, ବିଶ୍ରାମ ଏବଂ ଖେଳ' ଉପରେ ଧ୍ୟାନ ଦିଆଯିବ । ଏଥିରେ ଏକ ଇଣ୍ଟରାକ୍ଟିଭ୍ ବଗିଚା ମଧ୍ୟ ରହିବ। ରିସୋର୍ଟଟି ୨୦୨୮ରେ ପର୍ଯ୍ଯଟକଙ୍କ ପାଇଁ ଖୋଲାଯିବ । ରିପୋର୍ଟ ଅନୁଯାୟୀ, ସରକାର ନୂଆ ଐତିହାସିକ ସ୍ଥାନର ବିକାଶ ପାଇଁ ୨ ବିଲିୟନ ଦିରମ ବା ୪୭ ବିଲିୟନ ଟଙ୍କା ଆବଣ୍ଟନ କରିଛନ୍ତି। ଏହି ରିସର୍ଟରେ ଏକ ଇଣ୍ଟରାକ୍ଟିଭ୍ ପାର୍କ ଏବଂ ବିଶ୍ୱର ସର୍ବବୃହତ ଇନଡୋର ଉଦ୍ଭିଦ ଉଦ୍ୟାନ ମଧ୍ୟ ରହିବ । ଏହା ବାର୍ଷିକ ୧.୭ ନିୟୁତ ପରିଦର୍ଶକଙ୍କୁ ସେବା ଯୋଗାଇବ।
ଏହି ରିସୋର୍ଟର ଯୋଜନା ଦୁବାଇର କ୍ବାଲିଟି ଅଫ୍ ଲାଇଫ୍ ଷ୍ଟାଟେଜୀ ୨୦୩୩ ଅଧିନରେ ଯୋଜନା କରାଯାଉଛି । ଏହାର ଲକ୍ଷ୍ୟ ହେଉଛି ଦୁବାଇକୁ ବିଶ୍ୱର ସର୍ବୋତ୍ତମ ସହରରେ ପରିଣତ କରିବା । ଏହି ପ୍ରକଳ୍ପରେ ୨୦୦ରୁ ଅଧିକ ପାର୍କର ବିକାଶ, ବେଳାଭୂମିରେ ସାଇକେଲିଂ ଟ୍ରାକର ସମ୍ପ୍ରସାରଣ, ରାତିରେ ପହଁରିବା, ବେଳାଭୂମିର ଲମ୍ବ ବୃଦ୍ଧି ଏବଂ ବିଶେଷ ଭାବେ କେବଳ ମହିଳାଙ୍କ ପାଇଁ ନୂଆ ବେଳାଭୂମି ନିର୍ଦ୍ଦିଷ୍ଟ କରାଯିବ । ଏହି ରିସୋର୍ଟର ପ୍ରତ୍ୟକ ଆବାସିକ ସମ୍ପ୍ରଦାୟରେ ଭୂଦୃଶ୍ୟ ଏବଂ ବିଶିଷ୍ଠ ଆର୍କିଟେକଚର ପ୍ରବେଶ ପଥ ରହିବ। ୩ ହଜାରରୁ ଅଧିକ ଗଛ ଲଗାଯିବ ।