ରୋବଟ୍‌ ଫିଲ୍ମ ନିର୍ମାତାଙ୍କ ଘରେ ପହଞ୍ଚିଲା ଇଡି, ୧୦ କୋଟିର ଅସ୍ଥାୟୀ ସମ୍ପତ୍ତି କଲା ଜବତ

Published By : Prameya-News7 Bureau | February 21, 2025 IST

ମୁମ୍ଵାଇ ୨୧।୦୨; ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଚେନ୍ନାଇ ଜୋନାଲ ଅଫିସ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.ଶଙ୍କର ବିରୋଧରେ ଏକ ମାମଲା ରୁଜୁ କରିଛି। ଶଙ୍କରଙ୍କ ୧୦.୧୧ କୋଟି ଟଙ୍କାର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରାଯାଇଛି। ସୋମବାର (୧୭ ଫେବୃଆରୀ, ୨୦୨୫) ଦିନ ମନି ଲଣ୍ଡରିଂ ଆଇନ (PMLA), ୨୦୦୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

୨୦୧୧ ମସିହାରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଦାଖଲ କରୁଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ଲେଖକ ଆରୁର ତାମିଲନାଦନ। ଲେଖକ ଆରୁର ତାମିଲନାଦନ ଅଭିଯୋଗ କରିଥିଲେ ଯେ ସୁପରହିଟ୍ ଫିଲ୍ମ 'ଏନ୍ଥିରନ୍' (ରୋବୋଟ୍)ର କାହାଣୀ ତାଙ୍କ କାହାଣୀ 'ଜିଗୁବା'ରୁ ଚୋରି କରାଯାଇଛି। ଏହି ମାମଲା ଚେନ୍ନାଇର ଏଗମୋରର ୧୩ତମ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପଞ୍ଜିକୃତ ହୋଇଥିଲା।

କାହାଣୀ, ସ୍କ୍ରିନ୍‌ପ୍ଲେ ଏବଂ ସଂଳାପ ପାଇଁ ମିଳିଥିଲା ଫି’

ତଦନ୍ତ ସମୟରେ ଜଣାପଡିଥିଲା ଯେ ଶଙ୍କର 'ଏନ୍ଥିରନ୍'ର କାହାଣୀ, ସ୍କ୍ରିନ୍‌ପ୍ଲେ, ଡାଏଲଗ୍‌ ଏବଂ ନିର୍ଦ୍ଦେଶନା ସମେତ ବିଭିନ୍ନ ଅବଦାନ ପାଇଁ ୧୧.୫ କୋଟି ଟଙ୍କା ପାଇଥିଲେ। ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ର ଏକ ରିପୋର୍ଟରେ 'ଜିଗୁବା' ଏବଂ 'ଏନ୍ଥିରନ୍' ମଧ୍ୟରେ ଅନେକ ସମାନତା ମିଳିଛି। ଏହି ରିପୋର୍ଟରେ କାହାଣୀର ଗଠନ ଏବଂ ଚରିତ୍ର ଗୁଡ଼ିକୁ ଗଭୀର ଭାବରେ ପରୀକ୍ଷା କରାଯାଇଥିଲା। ଯାହା ଶଙ୍କରଙ୍କ ବିରୁଦ୍ଧରେ ଚୋରି ଅଭିଯୋଗକୁ ଦୃଢ଼ କରିଥିଲା।

ଫିଲ୍ମ ରୋବୋଟ୍ ୨୯୦ କୋଟି ରୋଜଗାର କରିଥିଲା

ଫିଲ୍ମ ରୋବୋଟ୍ ୨୦୧୦ ମସିହାରେ ପ୍ରେକ୍ଷାଳୟରେ ଅନେକ ଭାଷାରେ ମୁକ୍ତିଲାଭ କରିଥିଲା । ରଜନୀକାନ୍ତ ଏବଂ ଐଶ୍ୱର୍ଯ୍ୟା ରାୟ ଅଭିନୀତ ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ୨୯୦ କୋଟି ଟଙ୍କା ରୋଜଗାର କରିଥିଲା । ଏହାକୁ ସେହି ସମୟର ସବୁଠାରୁ ବଡ଼ ବ୍ଲକବଷ୍ଟର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଇଥିଲା। ଇଡି ଜାଣିବାକୁ ପାଇଛି ଯେ ଏସ୍. ଶଙ୍କର କପିରାଇଟ୍ ଆଇନ, ୧୯୫୭ର ଧାରା ୬୩ ଉଲ୍ଲଂଘନ କରିଛନ୍ତି। ଯାହା ଏବେ PMLA, ୨୦୦୨ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ବର୍ତ୍ତମାନ, ଏହି ମାମଲାର ଅଧିକ ତଦନ୍ତ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.