NEET ମାମଲାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଲେ NTAର କ୍ଲାସ୍, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ ୧୬।୬: ନିଟ୍ ୟୁଜି୨୦୨୪ ପରୀକ୍ଷା ଫଳରେ ହୋଇଥିବା ଅନିୟମିତତା ଅଭିଯୋଗ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ‘ନିଟ୍’ ମାମଲାରେ କୌଣସି ପ୍ରକାର ତ୍ରୁଟିକୁ କ୍ଷମା ଦିଆଯିବନି। ପିଲାଙ୍କ ଭବିଷ୍ୟତ ସହିତ ଖେଳକୁ ବର୍ଦ୍ଦାସ୍ତ କରାଯିବନି। ଶିକ୍ଷାମନ୍ତ୍ରୀ ଏନଟିଏ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏଥିରେ ଯଦି କେହି ଦୋଷୀ ବାହାରିଲେ ତାଙ୍କୁ କ୍ଷମା କରାଯିବନି। 

ନିଟ୍‌ ୟୁଜି ପରୀକ୍ଷାରେ ଚଳିତବର୍ଷ ୨୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ପରୀକ୍ଷା ଏବେ ଅନିୟମିତତା ଅଭିଯୋଗକୁ ନେଇ ବିବାଦରେ ଘେରି ଯାଇଛି। ଏହି ପରୀକ୍ଷାରେ ଦୁର୍ନୀତି କରାଯାଇଥିବାର ଅଭିଯୋଗ କରି ସାରା ଦେଶରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ‘ନିଟ୍’ ସମ୍ପର୍କରେ ୨ ପ୍ରକାରର ଅବ୍ୟବସ୍ଥା ଏବେ ସାମ୍ନାକୁ ଆସିଛି। ପ୍ରାରମ୍ଭିକ ସୂଚନା ଅନୁସାରେ କିଛି ଛାତ୍ରଛାତ୍ରୀଙ୍କୁ କମ୍ ସମୟ କାରଣରୁ ଗ୍ରେସ୍ ନମ୍ବର ଦିଆଯାଇଥିଲା। ଏହା ଛଡା ଅନ୍ୟ ୨ଟି ସ୍ଥାନରେ କିଛି ତ୍ରଟି ସାମ୍ନାକୁ ଆସିଛି। 

ତେବେ ଛାତ୍ର ଓ ଅଭିଭାବକଙ୍କୁ ମୁଁ ଆଶ୍ୱସ୍ତ କରୁଛି ଯେ ଏହାକୁ ମଧ୍ୟ ସରକାର ଗୁରୁତର ସହ ଗ୍ରହଣ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଆମେ ସବୁ ବିଷୟକୁ ଏକ ନିର୍ଣ୍ଣାୟକ ସ୍ଥିତିକୁ ନେଇଯିବୁ। ଏଥିରେ ଯିଏ ବି ବଡ଼ ଅଧିକାରୀ ଥିବେ ତାଙ୍କୁ ଛଡା ଯିବ ନାହିଁ। ଏନଟିଏରେ ସୁଧାରର ଆବଶ୍ୟକତା ରହିଛି। ଏଥି ପାଇଁ ସରକାର ଏବେ ବିଚାର କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.