ଭୁବନେଶ୍ୱର,୧୮।୧୧: ବାଜିଲା ଏଲିନାଙ୍କ ଶାହାନାଇ । ରିଲ୍ ନୁହେଁ ରିଅଲ ଲାଇଫରେ ନେଲେ ସାତଫେରା। ଓଲିଉଡ୍ର ଆଗଧାଡ଼ିର ନାୟିକା ଏଲିନା ସାମନ୍ତରାୟ ହାତକୁ ଦି’ ହାତ ହୋଇଛନ୍ତି । ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ।
ବିବାହ ଇଣ୍ଡୋନେସିଆର ବାଲିରେ ହୋଇଛି । ଏହା ତାଙ୍କ ପାଖ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳିଛି । ହଠାତ୍ ଏହି ଖବର ପାଇବା ଆସିବା ପରେ ଅନେକ ସିନେପ୍ରେମୀ ଏବଂ ତାଙ୍କ ପ୍ରଶଂସକ ଖୁସି ହୋଇ ଯାଇଛନ୍ତି । ଏନେଇ ଏଲିନା ବାହାଘରର କିଛି ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ରେ ଅପ୍ଲୋଡ୍ କରିଛନ୍ତି । ଗତକାଲି ବି ସେ ଏକ କାନ୍ଭାସ୍ରେ ଅନୁରାଗ ଏବଂ ଏଲିନା ଲେଖାଥିବା ଫଟୋ ପୋଷ୍ଟ କରି ଏ ବିଷୟରେ କିଛି ସୂଚନା ଦେଇଥିଲେ ।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୨୦୨୧ ପାଇଁ ‘ଦୃଷ୍ଟିକୋଣ’ ସିନେମା ଲାଗି ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଭାବେ ସେ ମନୋନୀତ ହୋଇଥିଲେ । ସୌଭାଗ୍ୟକୁ ଆଜି ଯେତେବେଳେ ପୁରସ୍କାର ବିତରଣ ଉତ୍ସବରେ ତାଙ୍କ ନାଁ ଡକାଯାଇଥିଲା ସେ ଅନୁପସ୍ଥିତ ଥିଲେ । ତରଙ୍ଗ ଟିଭିରେ ‘କିଏ ହେବ ମୋ ହିରୋଇନ୍’ ରିଆଲିଟି ସୋ’ର ପ୍ରଥମ ସଜନ୍ରେ ବିଜେତା ହୋଇ ୨୦୧୫ ମସିହାରେ ‘ଇସ୍କ ତୁ ହି ତୁ’ ସିନେମା ମାଧ୍ୟମରେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ ।