କଟକ: ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି ‘ସାହିତ୍ୟ ଭାରତୀ ସମ୍ମାନ’ରେ ସମ୍ମାନିତ ହେବେ । ୨୦୨୪ ପାଇଁ ଶୈଳଜ ରବିଙ୍କୁ ମିଳିବ ଏହି ସମ୍ମାନ । ପୁରସ୍କାର ରାଶି ବାବଦରେ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସାହିତ୍ୟ ଭାରତୀ ସମ୍ମାନ ପ୍ରତିବର୍ଷ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ସାହିତ୍ୟ କୃତି ପାଇଁ ସାରସ୍ୱତ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଏ । ଏହି ପୁରସ୍କାର ୧୯୯୫ ମସିହାରୁ ପ୍ରଦାନ କରାଯାଉଛି । ପୁରସ୍କାରରେ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିମୂର୍ତ୍ତୀ ସହିତ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ପରମ୍ପରା ରହିଛି ।
ରବୀନ୍ଦ୍ରନାଥ ସାହୁ, ଶୈଳଜ ରବି ଭାବେ ଜଣାଶୁଣା । ସେ ଜଣେ ଓଡ଼ିଆ ସାହିତ୍ୟିକ ଓ ସର୍ବୋଦୟ କର୍ମୀ । ସେ ଓଡ଼ିଆରେ କବିତା ଓ ନନ୍ଦନତତ୍ତ୍ୱ, ଲୋକବିଦ୍ୟା, ସାହିତ୍ୟତତ୍ତ୍ୱ ଓ କଳା ସଂପର୍କିତ ତୁଳନାତ୍ମକ ଓ ଆନ୍ତର୍ବିଦ୍ୟାଭିତ୍ତିକ ପ୍ରବନ୍ଧ ଆଦି ରଚନା କରିଛନ୍ତି । ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ପ୍ରତ୍ୟାଖାନ କରିଥିଲେ । ସେ ଓଡ଼ିଆରେ ଐକତାନ ଓ ଇଂରାଜୀରେ Parents & Pedagogues ନାମକ ପତ୍ରିକା ସମ୍ପାଦନା କରିଛନ୍ତି । ଜଣେ ଚିତ୍ରଶିଳ୍ପୀ ଭାବେ ସେ ଅନେକ ପୁସ୍ତକର ପ୍ରଚ୍ଛଦ ଆଙ୍କିଛନ୍ତି ।
ଗଙ୍ଗାଧର ରଥ ଫାଉଣ୍ଡେସନ ଦ୍ବାରା ଦିଆଯାଉଛି ‘ସାହିତ୍ୟ ଭାରତୀ ସମ୍ମାନ’ । ୧୯୯୫ରୁ ଦୀର୍ଘ ୩୦ ବର୍ଷ ଧରି ଓଡ଼ିଆ ସାହିତ୍ୟକୁ ନୂଆ ଦିଗ ଦେଇଥିବା ବିଶିଷ୍ଟ ସାହିତ୍ୟିକଙ୍କୁ ସମ୍ମାନିତ କରିବା ଲାଗି ନିରନ୍ତର କାର୍ଯ୍ୟ କରିଆସିଛି ଏହି ଫାଉଣ୍ଡେସନ୍ । ଏଥର ‘ସାହିତ୍ୟ ଭାରତୀ ସମ୍ମାନ’ରେ ସମ୍ମାନିତ ହେବାକୁ ଯାଉଛନ୍ତି ସାହିତ୍ୟିକ ଶୈଳଜ ରବି ।