ନୂଆଦିଲ୍ଲୀ ୧୨।୧୨: ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ (ଇସିବି) ୧୨ ଡିସେମ୍ବର ଗୁରୁବାର ପୁଣି ସୁଧହାର ହ୍ରାସ କରିଛନ୍ତି। ଚଳିତ ବର୍ଷ ଇସିବିଙ୍କ ଏହା ଚତୁର୍ଥ ହ୍ରାସ ହୋଇଥିବା ବେଳେ ଏଥର ସୁଧହାରରେ ୦.୨୫ପ୍ରତିଶତ ହ୍ରାସ ହୋଇଛି। ଫଳରେ ସୁଧହାର ୩.୨୫ ପ୍ରତିଶତରୁ ହ୍ରାସ ହୋଇ ୩ ପ୍ରତିଶତ ହୋଇଯାଇଛି। ଦୁର୍ବଳ ଅଭିବୃଦ୍ଧି ହାର, ଫ୍ରାନ୍ସ ରାଜନୈତିକ ସଂକଟ ଓ ଆମେରିକାର ଆମଦାନୀ ଶୁଳ୍କ ବୃଦ୍ଧି ଆଶଙ୍କାରେ ଇସିବି ସୁଧହାର ହ୍ରାସ ନିଷ୍ପତ୍ତି ନେଇଛନ୍ତି।
ଇସିବି ମୁଦ୍ରାସ୍ପିତି ତାଙ୍କ ଧାର୍ଯ୍ୟ ଲକ୍ଷର ନିକଟତର କରିବାକୁ ଓ ଦୁର୍ବଳ ଅର୍ଥ ବ୍ୟବସ୍ଥା ଲାଗି ଆଗକୁ ସୁଧହାର ଆହୁରି ହ୍ରାସ କରିବା ପାଇଁ ରାସ୍ତା ଖୋଲା ରଖିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ କହିଛନ୍ତି ଯେ ଖୁଚୁରା ମୁଦ୍ରାସ୍ପିତିକୁ ୨ ପ୍ରତିଶତ ଧାର୍ଯ୍ୟ ଲକ୍ଷକୁ ପହଞ୍ଚାଇବା ପାଇଁ ଉଦ୍ୟମ ସଫଳ ହେଉଛି। ଇସିବି ବୟାନରେ କହିଛନ୍ତି ଯେ ମୁଦ୍ରାସ୍ପିତିରେ ହ୍ରାସ ପ୍ରକ୍ରିୟା ଏବେ ନିର୍ଦ୍ଧାରିତ ମାର୍ଗରେ ରହିଛି। ତେବେ ସମୀକ୍ଷକଙ୍କ କହିବା କଥା ହେଉଛି ସୁଧହାର ହ୍ରାସ ଯୋଗୁ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବା କଥା। ଉଲ୍ଲେଖଯୋଗ୍ୟ ଯେ ୟୁରୋ ମୁଦ୍ରା ବ୍ୟବହାର କରୁଥିବା ୨୦ଟି ଦେଶଙ୍କ ଅଭିବୃଦ୍ଧି ଏବେ ସୁସ୍ତିଆ ହୋଇଯାଇଛି।
ଏପରି ଆଶଙ୍କା କରାଯାଉଛି ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ମାସରେ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକା ଆମଦାନୀ କରୁଥିବା ବସ୍ତୁ ଉପରେ ନୂଆ ଆମଦାନୀ କର ଲାଗୁ କରି ପାରେ। ଏହା ୟୁରୋପର ବ୍ୟବସାୟକୁ ପ୍ରଭାବିତ କରିବ। ଏହା ଛଡା ୟୁରୋପୀୟ ସଂଘରେ ମଧ୍ୟ ଅନ୍ତରୀଣ ସମସ୍ୟା ରହିଛି। ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିସେଲ ବର୍ଣ୍ଣିୟର ସଂଖ୍ୟାଗରିଷ୍ଠତା ହରାଇବା ପରେ ଡିସେମ୍ବର ୫ ତାରିଖରେ ଇସ୍ତଫା ଦେଇଥିଲେ। ଏହା ଛଡା ଜର୍ମାନର କ୍ଷମତାସୀନ ମେଣ୍ଟ ମଧ୍ୟ ଗତ ମାସରେ ଭାଙ୍ଗି ଯାଇଥିଲା।
ୟୁରୋପୀୟ ସଂଘର ଖୁଚୁରା ମୁଦ୍ରାସ୍ପିତି ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ୨୦୨୨ ଶେଷରେ ୧୦.୬ ପ୍ରତିଶତ ସ୍ତରକୁ ପହଞ୍ଚି ଯାଇଥିଲା। ଏଣୁ ମୁଦ୍ରାସ୍ପିତିକୁ ନିୟନ୍ତ୍ରିତ କରିବା ପାଇଁ ଇସିବି ସୁଧହାର ବଢେଇବାକୁ ନିଷ୍ପତ୍ତି ନେଇଥିଲେ। ଇସିବି ୟୁରୋପୀୟ ସଂଘର ୨୭ ସଦସ୍ୟ ଦେଶଙ୍କ ମଧ୍ୟରୁ ୟୁରୋ ମୁଦ୍ରା ବ୍ୟବହାର କରୁଥିବା ୨୦ଟି ଦେଶ ନିମନ୍ତେ ସୁଧହାର ନୀତି ନିର୍ଦ୍ଧାରଣ କରନ୍ତି।