ଗଣେଶ ଭଗବାନଙ୍କୁ ଜେଲରେ ଭର୍ତ୍ତି କରାଯାଉଛି, ହରିୟାଣାରେ କର୍ଣ୍ଣାଟକ କଂଗ୍ରେସ ଉପରେ ବର୍ଷିଲେ ପିଏମ୍ ମୋଦୀ

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ଆରମ୍ଭ କରିଛନ୍ତି । ଭାରତୀୟ ଜନତା ପାର୍ଟି ହରିୟାଣାରେ ବିଜୟର ହ୍ୟାଟ୍ରିକ୍ ମାରିବାକୁ ଯାଉଛି ବୋଲି ପିଏମ୍ କହିଛନ୍ତି । ହରିୟାଣାରେ ପିଏମ୍ ମୋଦୀ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ କଂଗ୍ରେସ କେବଳ ତୁଷ୍ଟୀକରଣ ରାଜନୀତି କରୁଥିବା କହିଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ସରକାର ଅଛି ଏବଂ କେବଳ ତୁଷ୍ଟୀକରଣ ରାଜନୀତି ପାଇଁ ଆମର ପୂଜ୍ୟ ଗଣପତିଙ୍କୁ ଜେଲରେ ବନ୍ଦୀ କରିଛନ୍ତି । ଏହା ତୁଷ୍ଟୀକରଣ ରାଜନୀତି ନୁହେଁ ତ ଆଉ କଣ ? 

ପିଏମ୍ ମୋଦୀ ଜନସଭାକୁ ସମ୍ୱୋଧନ କରି କହିଛନ୍ତି, 'ଆମ ବିଜେପି ସରକାର ଯାହା କୁହେ ତାକୁ ପୂରଣ ମଧ୍ୟ କରେ । ଆମ ସରକାର ତିନି କୋଟି ପକ୍କା ଘରକୁ ମଞ୍ଜୁରୀ ଦେଇଛି, ପ୍ରତିଟି ଗରିବଙ୍କ ନିଜର ସ୍ୱପ୍ନର ଘର ରହିବ । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ହରିୟାଣାକୁ ମଧ୍ୟ ମିଳିଛି । ଶତାଧିକ ଲକ୍ଷପତି ଦିଦିଙ୍କ ଲାଭ ଆଜି ହରିୟାଣାକୁ ମିଳିଛି । ଏବେ ୭୦ ବର୍ଷରୁ ଅଧିକ ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଯାଏ ସ୍ୱାସ୍ଥ୍ୟ ବୀମାର ଲାଭ ମିଳିବ ।'

ପିଏମ୍ ମୋଦୀ କହିଛନ୍ତି ଯେ କଂଗ୍ରେସ ଆରମ୍ଭରୁ ହିଁ ସଂରକ୍ଷଣ ବିରୋଧୀ ରହିଛି । ନେହରୁ ଜୀ ପିଏମ୍ ଥିବା ବେଳେ ସଂରକ୍ଷଣର ବିରୋଧ କରିଥିଲେ । ନେହରୁ ଜୀ ଓବିସି ସଂରକ୍ଷଣ ପାଇଁ ଗଠିତ କାକା କାଲେଲକର କମିଶନ ରିପୋର୍ଟ ଚାପି ଦେଇଥିଲେ । ତାଙ୍କ ପରେ ଇନ୍ଦିରା ଗାନ୍ଧୀ ମଧ୍ୟ ଓବିସି ସଂରକ୍ଷଣ ଉପରେ ରୋକ ଲଗାଇ ରଖିଥିଲେ । ଯେତେବେଳେ ଜନତା ତାଙ୍କୁ ହଟାଇଲେ ଏବଂ ଜନତା ପାର୍ଟିର ସରକାର ହେଲା, ସେତେବେଳେ ମଣ୍ଡଳ କମିଶନ ଗଠନ ହେଲା । କିନ୍ତୁ କଂଗ୍ରେସ ଆସିବା ପରେ ମଣ୍ଡଳ କମିଶନ ରିପୋର୍ଟକୁ ଚାପି ଦିଆଗଲା । ଏହାପରେ ରାଜୀବ ଗାନ୍ଧୀ ମଧ୍ୟ ନିଜ ସରକାରରେ ଓବିସିକୁ ସଂରକ୍ଷଣ ସୁବିଧା ଦେଲେ ନାହିଁ । ପିଏମ୍ ମୋଦୀ ଜୋର ଦେଇ କହିଛନ୍ତି, 'କଂଗ୍ରେସ ଶୁଣି ରଖୁ...ଯେପର୍ଯ୍ୟନ୍ତ ମୋଦୀ ଅଛି, ସେପର୍ଯ୍ୟନ୍ତ ବାବା ସାହେବ ଆମ୍ୱେଦକରଙ୍କ ଦ୍ୱାରା ଦିଆଯାଇଥିବା ସଂରକ୍ଷଣରେ ସାମାନ୍ୟ ଲୁଟ୍ ହେବାକୁ ଦେବ ନାହିଁ...ଏହା ମୋଦୀର ଗ୍ୟାରେଣ୍ଟି ।'   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.