କଟକ : ସୋମବାର କଟକ ଜିଲ୍ଲା ଦୈ।ରା ଜଜଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚର ଏକ ମାମଲାରେ ଶୁଣାଣି ପାଇଁ ଦିଲ୍ଲୀରୁ ଆସି ପହଞ୍ଚିଛନ୍ତି ଦାରା ସେନା ମୁଖ୍ୟ ମୁକେଶ ଜୈନ୍ । ଓଡ଼ିଶା କ୍ରାଇମବ୍ରାଞ୍ଚ ମିଛ ମାମଲାରେ ତାଙ୍କୁ ଫଶାଇ ହଇରାଣ କରୁଥିବା ମୁକେଶ ଅଭିଯୋଗ କରିଛନ୍ତି । ତେବେ ଶୁଣାଣିରେ ପ୍ରତିପକ୍ଷ କ୍ରାଇମବ୍ରାଞ୍ଚ ପକ୍ଷରୁ କେହି ଉପସ୍ଥିତ ହୋଇନଥିଲେ। ମୁକେଶଙ୍କ ଅଭିଯୋଗ ଅନୁସାରେ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଦିଲ୍ଲୀରୁ ଶୁଣାଣି ପାଇଁ କଟକରେ ପହଞ୍ଚୁଥିବା ବେଳେ କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷ ମାତ୍ର ଦୁଇ କିଲୋମିଟର ଦୂରରୁ କିଭଳି ଅଦାଲତରେ ପହଞ୍ଚି ପାରୁ ନାହାଁନ୍ତି ବୋଲି ପ୍ରଶ୍ନ କରୁଛନ୍ତି।
୨୦୨୦ମସିହାରେ କୋଭିଡ କଟକଣା କାରଣରୁ ପୁରୀ ରଥଯାତ୍ରା ଆୟୋଜନ ନେଇ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ସେହି ମାମଲା ଚାଲିଥିବା ବେଳେ ମାମଲାକୁ ନେଇ ମୁକେଶ ଜଜଙ୍କ ବିରୋଧରେ ଅରୁଚିକର ଟିପ୍ପଣୀ ଦେଇଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ମାମଲା କରିଥିଲା। କଟକ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ସହ ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟ ମୁକେଶଙ୍କ ବିରୋଧରେ ଏତଲା ହୋଇଥିଲା। ଏହି ମାମଲାରେ ମୁକେଶ ଗିରଫ ହୋଇ ୧୪ମାସ ଜେଲରେ ରହିଥିଲେ। ଏହା ବ୍ୟତୀତ ବିଭିନ୍ନ ସମ୍ପ୍ରଦାୟ ବିରୋଧରେ ଟିପ୍ପଣୀ ଦେବା ନେଇ ମୁକେଶଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିଲା। ତେବେ ଓଡିଶାରେ ଥିବା ମାମଲାରେ କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷ ଅଦାଲତରେ ପକ୍ଷ ନରଖି ତାଙ୍କୁ ହଇରାଣ କରୁଥିବା ମୁକେଶ ଓ ତାଙ୍କ ଓକିଲ କହିଛନ୍ତି।