ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗ୍ନୌଥ। ଏନେଇ ରବିବାର ସକାଳେ ମରିସସ ଆର୍ଥିକ ଅପରାଧ କମିଶନ(ଏଫ୍ସିସି) ସୂଚନା ଦେଇଛି। ଏଫସିସି ମୁଖପାତ୍ର ଇବ୍ରାହିମ୍ ରୋସାୟେ ଜୁଗନ୍ନୌଥଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ତାଙ୍କୁ ସେଣ୍ଟ୍ରାଲ ମରିସସର ମୋକା ଜିଲ୍ଲାରେ ଥିବା ମୋକା ଡିଟେନସନ୍ ସେଣ୍ଟରରେ ଅଟକ ରଖାଯିବ ବୋଲି ସେ କହିଛନ୍ତି।
ଘଟଣା ସମ୍ପର୍କରେ ସୂଚନା ଦେଇ ଏଫସିସି କହିଛି ଯେ ଜୁଗନ୍ନୌଥଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏଫସିସି ଅଫିସରମାନେ ତଲାସ ଅଭିଯାନ ଚଳାଇଥିଲେ। ଏଥିରେ ୧୧୪ ନିୟୁତ ମରିସସ୍ ଟଙ୍କା (୨.୪ ନିୟୁତ ଡଲାର) ଜବତ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
ସେପଟେ ଜୁଗନ୍ନୌଥଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ମିଥ୍ୟ ବୋଲି କହିବା ସହିତ ଏହାକୁ ଅସ୍ୱୀକାର କରିଛନ୍ତି ବୋଲି ଜୁଗନ୍ନୌଥଙ୍କ ଓକିଲ ରୌଫ ଗୁଲବୁଲ ରବିବାର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଗତ ବର୍ଷ ନଭେମ୍ବରରେ, ମରିସସର ନୂଆ ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମ ପୂର୍ବ ପ୍ରଶାସନ ଦ୍ୱାରା ସଂକଳିତ କିଛି ସରକାରୀ ତଥ୍ୟର ସଠିକତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର କିଛି ଦିନ ପରେ ପବ୍ଲିକ ଫାଇନାନ୍ସର ଅଡିଟ୍ କରିବାକୁ ଘୋଷଣା କରିଥିଲେ।
ଏହି ମାମଲାରେ ଦେଶର ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଗତ ମାସରେ ଅଟକ ରଖାଯାଇଥିଲା। ଠକେଇ ଏବଂ ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ଅଭିଯୁକ୍ତ କରାଯାଇଥିଲେ ବି ସେ ପରବର୍ତ୍ତି ସମୟରେ ଜାମିନରୁ ମୁକୁଳି ସାରିଛନ୍ତି। ସୂଚନା ଥାଉକି ଭାରତ ମହାସାଗର ସ୍ଥିତ ଦ୍ୱୀପପୁଞ୍ଜ ମରିସସ ଏକ ଉପକୂଳବର୍ତ୍ତି ଆର୍ଥିକ କେନ୍ଦ୍ର ଭାବେ ଉଭା ହୋଇଛି। ଯାହା ଆଫ୍ରିକା ଓ ଏସିଆ ମଧ୍ୟରେ ଏକ ସୂତ୍ର ଭାବେ ଗଢି ତୋଳୁଛି।