ମଧ୍ୟପ୍ରଦେଶରେ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ ୨୭।୧୦: ଦେଶରେ ଟ୍ରେନ ଦୁର୍ଘଟଣା ଥମିବାର ନାଁ ନେଉନି। ଏଥର ମଧ୍ୟପ୍ରଦେଶରେ ରବିବାର ଏକ ଚଳନ୍ତା ଟ୍ରେନରେ ନିଆଁ ଲାଗିଯାଇଛି। ଟ୍ରେନରେ ନିଆଁ ଲାଗିବା ଜାଣି ଯାତ୍ରୀମାନେ ଯିଏ ଯାହା ବାଟରେ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଏହି ଟ୍ରେନଟି ଇନ୍ଦୋରରୁ ରତଲାମ ଯାଉଥିଲା। ରତଲାମ ମଣ୍ଡଳ ଏ ନେଇ ଏକ ବୟାନ ଜାରି କରିଥିବା ବେଳେ ଦୁର୍ଘଟଣାରେ କୌଣସି ପ୍ରକାର ଧନଜୀବନ ହାନୀର ସୂଚନା ନଥିବା ଓ ଟ୍ରେନରେ ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଇଛି। 

ପଶ୍ଚିମ ରେଲ ରତଲାମ ମଣ୍ଡଳ ସିପିଆରଓ ଏକ ବୟାନରେ କହିଛନ୍ତି ଯେ ରବିବାର ସଂଧ୍ୟା ପ୍ରାୟ ୫ଟା ୨୦ ମିନିଟରେ ଟ୍ରେନ ସଂଖ୍ୟା ୦୯୩୪୭ ଡ.ଆମ୍ବେଦକର ନଗର-ରତଲାମ ଡେମୁ ଟ୍ରେନରେ ନିଆଁ ଲାଗିଥିଲା। ଏହି ନିଆଁ ଋନିଜା ଓ ନୌଗାଁବ ମଧ୍ୟରେ ଲାଗିଥିଲା। ଘଟଣା ପରେ ତୁରନ୍ତ ଦମକଳ ବିଭାଗକୁ ସୂଚିତ କରାଯାଇଥିଲା ଓ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଆମ୍ବେଦକର ନଗର (ମହୁ)ରୁ ଇନ୍ଦୋର ହୋଇ ରତଲାମ ଆସିବା ବେଳେ ଡେମୁ ଟ୍ରେନ ଇଞ୍ଜିନରେ ଅଚାନକ ନିଆଁ ଲାଗିଯାଇଥିଲା। 

ନିଆଁ ଲାଗିଥିବା ଜାଣିବାମାତ୍ରେ ଡ୍ରାଇଭର ଟ୍ରେନକୁ ଅଟକାଇ ଦେଇଥିଲେ। ଧୂଆଁ ଦେଖି ପାଖରେ ଥିବା ବଗିର ଲୋକମାନେ ଟ୍ରେନ ଅଟକିବାରୁ ଓହ୍ଲାଇ ଯାଇଥିଲେ। ଘଟଣାର ସୂଚନା ମିଳିବା ପରେ ବିଲପାଙ୍କ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ସ୍ଥାନୀୟ ଗ୍ରାମୀଣଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନରେ ନିଆଁ ଲାଗିଥିବା ଖବର ପାଇ ଦମକଳ ବିଭାଗ ଗାଡି ତୁରନ୍ତ ବାହାରିଥିଲା ହେଲେ ଟ୍ରେନ ପର୍ଯ୍ୟନ୍ତ ପହଞ୍ଚିବାକୁ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା। ଟ୍ରେନ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.