ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଲେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ, ଅନୁଶକ୍ତି ନଗରରୁ ହେବେ ପ୍ରାର୍ଥୀ

Published By : Prameya-News7 Bureau | October 27, 2024 IST

HT

ନୂଆଦିଲ୍ଲୀ: ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଲେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ଅନୁଶକ୍ତି ନଗର ଆସନରୁ ଏନସିପି(ଅଜିତ ପାୱାର)ଙ୍କ ସନା ମଲିକଙ୍କ ବିରୋଧରେ ପ୍ରାର୍ଥୀ ହେବେ। ଶରଦ ପାୱାର ଦଳର ନେତା ଜୟନ୍ତ ପାଟିଲ ରବିବାର ଏହି ସୂଚନା ଦେଇଛନ୍ତି।

ପାଟିଲ କହିଛନ୍ତି, ଫହାଦ ଅହମ୍ମଦ ଜଣେ ଶିକ୍ଷିତ ମୁସଲମାନ ଯୁବକ। ସାରା ଦେଶରେ ତାଙ୍କର ପରିଚୟ ରହିଛି। ଲୋକମାନେ ଚାହାଁନ୍ତି ଯେ ଆମେ ଏହିପରି ନେତାମାନଙ୍କୁ ଏକ ସୁଯୋଗ ଦେବା। ସେ ପୂର୍ବରୁ ସମାଜବାଦୀ ପାର୍ଟିରେ ଥିଲେ। କିନ୍ତୁ ଆମ ସହ ଆଲୋଚନା ପରେ ସେ ଆମ ପାର୍ଟିରେ ଯୋଗ ଦେଇଛନ୍ତି। ଆମେ ତାଙ୍କୁ ଅନୁଷ୍କା ନାଗର ଆସନରୁ ପ୍ରାର୍ଥୀ କରିଛୁ।

ଅନୁଶକ୍ତି ନଗର ଆସନରୁ ତାଙ୍କ ପ୍ରାର୍ଥୀ ସମ୍ପର୍କରେ ଫହାଦ୍ କହିଛନ୍ତି, ଏନସିପି ମୁଖ୍ୟ ଶରଦ ପାୱାର ଓ ଅଖିଳେଶ ଯାଦବଙ୍କୁ ଧନ୍ୟବାଦ ଦେଉଛି ଯେ ସେ ମୋତେ ଏନସିପିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ।

ଫହାଦ୍ ଏହା ପୂର୍ବରୁ ସମାଜବାଦୀ ପାର୍ଟିର ଯୁବ ବାହିନୀ ସମାଜବାଦୀ ଯୁବ ସଭାର ରାଜ୍ୟ ମୁଖ୍ୟ ଥିଲେ। ଏନସିପି  ଶୁକ୍ରବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ 22 ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନସିପି ନେତା ଜୟନ୍ତ ପାଟିଲ ଏହି ତାଲିକା ଘୋଷଣା କରିଛନ୍ତି। ଏହାପୂର୍ବରୁ, ଅକ୍ଟୋବର ୨୪ରେ ଏନସିପି ୪୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲେ।

ମହାବିକାଶ ଅଗାଡି (MVA) ମେଣ୍ଟରେ ଏନସିପି (ଶରଦ ପାୱାର), କଂଗ୍ରେସ,  ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାମିଲ ଅଛନ୍ତି। ଏହି ବିରୋଧୀ ଦଳ ୨୫୫ଟି ସିଟ୍ ସେୟାରିଂ କରିବାକୁ ଘୋଷଣା କରିଛନ୍ତି। ଏହି ଅନୁଯାୟୀ ପ୍ରତ୍ୟେକ ଦଳକୁ 85ଟି ଆସନ ଦିଆଯାଇଛି। ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ୨୮୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୋଟ୍ ଗଣନା ୨୩ ନଭେମ୍ବରରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.