ଯଦି କେଜରିୱାଲଙ୍କୁ ଆଘାତ ଲାଗେ ବିଜେପିକୁ ଜବାବ ଦେବେ ଦିଲ୍ଲୀବାସୀ :ସଞ୍ଜୟ ସିଂହ

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬।୧୦: ଆମ ଆଦମୀ ପାର୍ଟି(ଆପ) ଶନିବାର ନିଜ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ସମାପ୍ତ କରିବାକୁ ‘ଗଭୀର ଷଡ଼ଯନ୍ତ୍ର’ର ଅଭିଯୋଗ କରିଛି ଓ ଚେତାବନୀ ଦେଇଛି ଯଦି ତାଙ୍କର କିଛି ହୁଏ ଏଥି ପାଇଁ ବିଜେପି ଦାୟି ରହିବ। ଯଦି କେଜରିୱାଲଙ୍କ ଆଞ୍ଚୁଡି ବି  ହୋଇଯାଏ ଦିଲ୍ଲୀର ଜନତା ବିଜେପିଠୁ ପ୍ରତିଶୋଧ ନେବେ। ଆପ ନେତମାନେ ଶୁକ୍ରବାର ଅଭିଯୋଗ କରିଥିଲେ ଯେ ପଶ୍ଚିମ ଦିଲ୍ଲୀର ବିକାଶପୁରୀରେ ପଦଯାତ୍ରା କାଳରେ କେଜରିୱାଲଙ୍କ ଉପରେ ‘ବିଜେପି ଗୁଣ୍ଡା’ମାନେ ଆକ୍ରମଣ କରିଛନ୍ତି। 

ଏକ ସାମ୍ବାଦିକ ସମ୍ମିଳନୀରେ ଆପ ନେତା ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି ଯେ ‘ଘଟଣାରେ ପୋଲିସର ସମ୍ପୃକ୍ତି ସ୍ପଷ୍ଟ ରୂପେ କେଜରିୱାଲଙ୍କ ହତ୍ୟାର ଗଭୀର ଷଡ଼ଯନ୍ତ୍ରକୁ ଦର୍ଶାଉଛି। ବିଜେପି ଏବେ ତାଙ୍କ ଜୀବନ ପାଇଁ ବିପଦ ପାଲଟିଛି।  ସିଂହ ଙ୍କ ଅଭିଯୋଗ ଉପରେ ପୋଲିସ ଅଥବା ବିଜେପି ପକ୍ଷରୁ ତତ୍କାଳ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଆପ ନେତା କହିଛନ୍ତି ଯେ ବିକାଶପୁରୀ ଘଟଣା ସତ୍ତ୍ୱେ କେଜରିୱାଲ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ପଦଯାତ୍ରା ଅଭିଯାନ ଜାରି ରଖିବେ। 


ତେବେ ସଞ୍ଜୟ ସିଂହଙ୍କୁ ଯେବେ ପଚରା ଗଲା ଆପଣ ଏହି ଘଟଣାରେ ଅଭିଯୋଗ କାହିଁକି କରି ନାହାନ୍ତି, ସିଂହ କହିଛନ୍ତି ଯେ ଯଦି ପୋଲିସ ‘ନିରପେକ୍ଷ’ ହୋଇଥାନ୍ତା ଓ ଅଧିକାରୀ ଆକ୍ରମଣକାରୀ ସମୂହଙ୍କୁ ରୋକିବାକୁ କିଛି କରିଥାନ୍ତେ ତେବେ ଏପରି ଘଟଣା ଘଟି ନଥାନ୍ତା। ଆକ୍ରମଣକାରୀ ବିଜେପି ଯୁବ ଶାଖାର ସଦସ୍ୟ। ସଞ୍ଜୟ ସିଂହ କହିଛନ୍ତି ଯେ ପୋଲିସ ଘଟଣାର ସଂଜ୍ଞାନ ନେଇ ପାରେ ଓ ଏହାର ଯାଞ୍ଚ କରିପାରେ। ତେବେ ଏହି ଘଟଣାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଆପ୍ ଆଇନଗତ ପରାମର୍ଶ ନେଉଛି। 


ଆପ ସାଂସଦ ଅଭିଯୋଗ କରିଛନ୍ତି ଯେ ବିଜେପି ନେତାମାନେ କେଜରିୱାଲଙ୍କ ଆକ୍ରମଣକାରୀଙ୍କୁ ସମର୍ଥନ କରୁଛନ୍ତି। ତେବେ ଆପର ଅଭିଯୋଗକୁ ବିଜେପି ନେତାମାନେ ଅଗ୍ରାହ୍ୟ କରିଦେଇଛନ୍ତି ଓ କହିଛନ୍ତି ଲୋକଙ୍କ ଘରକୁ ଅପରିସ୍କାର ପାଣି ଯୋଗାଣ ଲାଗି ସେମାନେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି। ତେବେ ସିଂହ କହିଛନ୍ତି ଯେ କେଜରିୱାଲ ନ ଅଟକିବେ ନା ନଇଁବେ ଦିଲ୍ଲୀର ଲୋକଙ୍କ ପାଇଁ ଲଢିବେ। ସେ କହିଛନ୍ତି ଯେ ଯଦି କେଜରିୱାଲଙ୍କ କିଛି ହୁଏ ତେବେ ଏଥି ପାଇଁ ବିଜେପି ଦାୟି ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.