'ମହା' ରାଜନୀତିରେ ହଇଚଇ ! ନିର୍ବାଚନ ଲଢ଼ିବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ?

Published By : Prameya-News7 Bureau | October 26, 2024 IST

ମୁମ୍ବାଇ:  ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ହଇଚଇ। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ନାମରେ ନାମାଙ୍କନ ପତ୍ର ଦାଖଲ। ଉତ୍ତର ଭାରତୀୟ ବିକାଶ ସେନା ନାମକ ଏକ ରାଜନୈତିକ ଦଳ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଫର୍ମ 'ଏ' ଏବଂ ଫର୍ମ 'ବି' ନେଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ନାମରେ ନାମାଙ୍କନ ଦାଖଲ କରିଛନ୍ତି।

ସୂଚନାନୁସାରେ, ବାନ୍ଦ୍ରା ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ନିର୍ବାଚନ ପାଇଁ ଉତ୍ତର ଭାରତୀୟ ବିକାଶ ସେନା ନେତା ସୁନୀଲ ଶୁକ୍ଲା ଲରେନ୍ସ ବିଷ୍ଣୋଇଙ୍କ ନାମରେ ନାମାଙ୍କନପତ୍ର ଦାଖଲ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ସେ ଫର୍ମରେ ଲରେନ୍ସ ବିଷ୍ଣୋଇଙ୍କ ଦସ୍ତଖତ ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରମାଣପତ୍ର ପ୍ରସ୍ତୁତ କରିବେ।

ବାବା ସିଦ୍ଦିକି ବାନ୍ଦ୍ରା ପଶ୍ଚିମ ବିଧାନସଭା ଆସନରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଉକ୍ତ ଅଞ୍ଚଳର ଜଣେ ବିଧାୟକ ଥିଲେ। ଅକ୍ଟୋବର ୧୨ରେ ରାତିରେ ବାନ୍ଦ୍ରା ଇଷ୍ଟରେ ଥିବା ତାଙ୍କ ପୁଅଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା।

ଉତ୍ତର ଭାରତୀୟ ବିକାଶ ସେନା ପାର୍ଟି ମଧ୍ୟ ଦାବି କରିଛି ଯେ ଯଦି ଲରେନ୍ସ ବିଷ୍ଣୋଇ ରାଜି ହେବେ, ତେବେ ଖୁବ୍ ଶୀଘ୍ର ୫୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେବା ପରେ ଗୁଜୁରାଟର ସାବରମତୀ ସେଣ୍ଟ୍ରାଲ ଜେଲରେ ଥିବା ବିଷ୍ଣୋଇ ଏବେ ଚର୍ଚ୍ଚାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.