ଝାଡ଼ଖଣ୍ଡ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟାର ପ୍ରଚାରକ

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ତାଲିକାରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ଶିବରାଜ ସିଂ ଚୌହ୍ୱାନ ଅଛନ୍ତି।

ଝାଡ଼ଖଣ୍ଡରେ କ୍ଷମତାକୁ ଫେରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି। ଏଥର ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡି ମେଣ୍ଟର ମୁକାବିଲା ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେପି। ଆଜି ଘୋଷିତ ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରଖିଛି ଦଳ। ଯେତେବେଳେ ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଢିଲା, ସେହି ସମୟରେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ଆଉ ଏକ ବଡ଼ ଫ୍ୟାକ୍ଟର ଥିଲା, ଯାହା ହେଉଛି ସେ ରାଜ୍ୟର ଜଣେ ବଡ଼ ଆଦିବାସୀ ଚେହେରା। ତେଣୁ ଆଦିବାସୀ ବହୁଳ ଝାଡ଼ଖଣ୍ଡରେ ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ଏବଂ ଆଦିବାସୀ ସମୁଦାୟକୁ ବଡ଼ ସନ୍ଦେଶ ଦେବା ଉଦ୍ଦେଶ୍ୟରେ ବିଜେପି ଓଡ଼ିଶାରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ରାଜନୈତିକ ସମୀକ୍ଷକ କୁହନ୍ତି। ଏବେ ମୋହନଙ୍କୁ ଝାଡ଼ଖଣ୍ଡ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ଦଳ ଏହି ସଙ୍କେତ ମଧ୍ୟ ଦେଇଛି। ସ୍ଵାଭାବିକ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ଦଳ। ସଂପ୍ରତି ଜାତୀୟ ରାଜନୀତିରେ ବଡ଼ ରଣନୀତିକାର ଭାବେ ନିଜକୁ ସାବ୍ୟସ୍ତ କରି ପାରିଛନ୍ତି କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। 

ସୂଚନାଯୋଗ୍ୟ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାର ଏଥର ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ନଭେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଓ ୨୦ ରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ନଭେମ୍ବର ୨୩ରେ ଭୋଟ୍ ଗଣତି ରହିଛି। ଗତ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା। ଜେଏମଏମ ୨୫ ସିଟ୍, ବିଜେପି ୨୫, କଂଗ୍ରେସ ୧୭  ସିଟ୍ ଜିତିଥିଲେ। ତେବେ ଜେଏମଏମ ଓ କଂଗ୍ରେସ ଇଣ୍ଡିଆ ମେଣ୍ଟ ମିଶି ସରକାର ଗଢିଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.