ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଲଢ଼ିପାରିବେନି ବିଧାନସଭା ନିର୍ବାଚନ

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ: ଧୂଳିସାତ୍ ହୋଇଗଲା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ସ୍ବପ୍ନ। ଆଉ ଲଢ଼ିପାରିବେନି ଝାଡ଼ଖଣ୍ଡ ନିର୍ବାଚନ। କାରଣ କୋଇଲା ଦୁର୍ନୀତି ମାମଲାରେ ଦୋଷ ସାବ୍ୟସ୍ତ ରାୟ ଉପରେ ରୋକ୍ ଲଗାଇବାକୁ କରିଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ସୂଚନାଥାଉକି, ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ମଧୁ କୋଡ଼ା। ଏହି ସମୟରେ ହୋଇଥିବା କୋଇଲା ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ୨୦୧୭ରେ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କେବଳ ସେତିକି ନୁହେଁ ତାଙ୍କ ସହ ପୂର୍ବତନ କୋଇଲା ସଚିବ ଏଚସି ଗୁପ୍ତା, ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ଏକେ ବସୁ ଏବଂ କୋଡ଼ାଙ୍କ ଘନିଷ୍ଠ ବିଜୟ ଜୋଶୀଙ୍କୁ ମଧ୍ୟ ଦୁର୍ନୀତିରେ ସାମିଲ ହେବା ଓ ରାଜ୍ୟର ରାଜହରା ଉତ୍ତର କୋଇଲା ବ୍ଲକକୁ କୋଲକାତା ସ୍ଥିତ କମ୍ପାନି ଭିନି ଆଇରନ ଆଣ୍ଡ୍‌ ଷ୍ଟିଲ୍‌ ଉଦ୍ୟୋଗ ଲିମିଟେଡ (ବିଆଇଏସୟୁଏଲ)କୁ ଭୁଲ ଢଙ୍ଗରେ ଆବଣ୍ଟିତ କରିବା ମାମଲାରେ ୩ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ। ଅବଶ୍ୟ ୨୦୧୮ରେ ତାଙ୍କୁ ଜାମିନ୍‌ ମିଳିଥିଲେବି ୨୦୨୦ରେ ଏହି ରାୟ ଉପରେ ରୋକ୍ ପାଇଁ ଆବେଦନ କରିଥିବା କୋଡ଼ାଙ୍କ ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। 

ଏହି ମାମଲାରେ ମିଳିଥିବା ୩ ବର୍ଷର ଦଣ୍ଡ କାରଣରୁ ସେ ତିନି ବର୍ଷ ପାଇଁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ହୋଇଥିଲେ। ଜନପ୍ରତିନିଧି ଆଇନ ଅନୁଯାୟୀ, କୌଣସି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବା ଏବଂ ହାରାହାରି ୨ ବର୍ଷ ଦଣ୍ଡ ପାଇଥିବା ବ୍ୟକ୍ତି ତୁରନ୍ତ ସାଂସଦ କିମ୍ବା ପୁଣି ରାଜ୍ୟ ବିଧାନ ପରିଷଦର ସଦସ୍ୟ ହୋଇପାରିବେନାହିଁ। ଏତିକି ନୁହେଁ ଜେଲରୁ ବାହାରିବା ପରେ ମଧ୍ୟ ସେ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେନାହିଁ। ଅର୍ଥାତ ସମୁଦାୟ ୯ ବର୍ଷ ସେ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ। 

ତେବେ ଏହାର ଚାରି ବର୍ଷ ପରେ ଅର୍ଥାତ ୨୦୨୪ରେ କୋଡ଼ା ପୁଣି ଥରେ ରାୟକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ସମୟରେ କୋଡ଼ା, ସୁପ୍ରିମକୋର୍ଟ ୨୦୨୩ର ଅଫଜଲ ଅନସାରୀ ବନାମ ଉତ୍ତର ପ୍ରଦେଶ ରାଜ୍ୟ ମାମଲାର ତର୍କ ରଖିଥିଲେ। କାରଣ ଏଭଳି ଏକ ମାମଲାରେ ଆବେଦନକାରୀ  ଅଫଜଲଙ୍କ ଉପରେ ଲାଗିଥିବା ଦୋଷ ସାବ୍ୟସ୍ତ ରାୟ ଉପରେ ରୋକ୍‌ ଲାଗିଥିଲା। କିନ୍ତୁ ଏହି ଆବେଦନର ଶୁଣାଣି କରି ୨୦୨୪ ଅକ୍ଟୋବର ୧୮ରେ ଦିଲ୍ଲୀ ହାଇକୋର୍ଟ କୋଡ଼ାଙ୍କ ଆବେଦନକୁ ଖାରଜ କରିଥିଲେ। ଯାହାକୁ ଚାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। 

ଆଉ ଶୁକ୍ରବାର କୋଡ଼ାଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ସଞ୍ଜୟ କୁମାରଙ୍କ ୨ ଜଣିଆ ଖଣ୍ଡପୀଠ କହିଛନ୍ତି, ଦୋଷ ସାବ୍ୟସ୍ତ ରାୟ ଉପରେ ରୋକ୍‌ ଲଗାଇବା ପାଇଁ ଅନେକ ଦିଗକୁ ଧ୍ୟାନରେ ରଖିବାକୁ ପଡ଼ିଥାଏ। ଯାହା କୌଣସି ନିୟମିତ କଥା ନୁହେଁ। ଖଣ୍ଡପୀଠ କହିଛନ୍ତି ଅଫଜଲ ଅନସାରୀ ମାମଲାରେ, ଆବେଦନକାରୀ ବିଧାୟକ ନିଜ ପଦରେ ରହିଥିଲେ। କିନ୍ତୁ ଏଠାରେ ଏଭଳି ସ୍ଥିତି ନାହିଁ। ମଧୁ କୋଡ଼ାଙ୍କୁ ଯେତେବେଳେ ଦଣ୍ଡ ମିଳିଥିଲା ସେତେବେଳେ ସେ ବିଧାନସଭା ସଦସ୍ୟ ନଥିଲେ । ଏମିତିରେ ଏହି ସ୍ଥିତି ଭିନ୍ନ। ଆଉ ଏହି କାରଣରୁ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ୧୩ ଏବଂ ନଭେମ୍ବର ୨୦ରେ ନିର୍ବାଚନ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ଫଳାଫଳ ଘୋଷଣା ହେବ। ନିକଟରେ ମଧୁ କୋଡ଼ା ବିଜେପିରେ ଯୋଗଦେବା ସହ ନିର୍ବାଚନ ମଧ୍ୟ ଲଢ଼ିବାକୁ ଯାଉଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.