ବିଧାନସଭା ସିଟ୍ କୁ ନେଇ ମହାରାଷ୍ଟ୍ରରେ କଂଗ୍ରେସ, ଶରଦ ଓ ଉଦ୍ଧବଙ୍କ ମଧ୍ୟରେ ଟଣାଓଟରା, ପୁଣି ବଦଳିଲା ଫର୍ମୂଲା

Published By : Prameya-News7 Bureau | October 25, 2024 IST

ମୁମ୍ବାଇ ୨୫।୧୦: ମହାରାଷ୍ଟ୍ର ମହାବିକାଶ ଅଘାଡି (ଏମଭିଏ)ରେ ଆସନ ମୁଲଚାଲ ଲଗାତାର ଜାରି ରହିଛି। ମେଣ୍ଚ ବୁଧବାର ଆଣିଥିବା ୮୫-୮୫-୮୫ ସିଟ୍ ଫର୍ମୂଲାକୁ ବଦଳାଇଛି। ଏବେ ନୂଆ ଫର୍ମୂଲା ସାମ୍ନାକୁ ଆସିଛି। ଏଥିରେ କଂଗ୍ରେସ ୧୦୨ରୁ ୧୦୪ଟିରେ, ଉଦ୍ଧବ ଠାକରେଙ୍କ ଶିବ ସେନା ୯୦ରୁ ୯୫ଟିରେ ଓ ଶରଦ ପାୱାରଙ୍କ ଏନସିପି ୭୦ରୁ ୭୫ଟି ଆସନରେ ନିର୍ବାଚନ ଲଢିବାକୁ ସହମତି ହୋଇଛି। ତେବେ ଏହା ପୂର୍ବରୁ ୩ ଦଳଙ୍କ ମଧ୍ୟରେ ସମାନ ସମାନ ଆସନ ସଂଖ୍ୟାରେ ସହମତି ହୋଇଥିଲା। 

ତେବେ ପୁରୁଣା ଫର୍ମୂଲାରେ ବଳକା ୧୫ ସିଟ୍ କୁ ନେଇ ପେଞ୍ଚ ଥିଲା। ସିଟ୍‌ ନେଇ ଚାଲିଥିବା ଟଣା ଓଟରାରେ ଏବେ ସିଟ୍ ସେୟାରିଂର ନୂଆ ଫର୍ମୂଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ୨୮୮ ଆସନରେ ନଭେମ୍ବର ୨୦ ତାରିଖରେ ବିଧାନସଭା ନିର୍ବାଚନ ହେବ।  ଏଥି ପାଇଁ ଶାସକ ମହାଯୁତିରେ ଆସନ ବଣ୍ଟାକୁଣ୍ଟାକୁ ନେଇ ସହଯୋଗୀ ଦଳଙ୍କ ମଧ୍ୟରେ ସହମତି ହୋଇସାରିଲାଣି। ଏବେ ଏମଭିଏର ପାଳି, ହେଲେ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବଣ୍ଟାକୁଣ୍ଟାକୁ ନେଇ ଏବେବି ସହମତି ହୋଇ ପାରୁନି। 

ଏମଭିଏରେ କଂଗ୍ରେସ ଓ ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଗଡ଼ଚିରୌଲୀ, ଅରମୋରୀ, ଗୋନ୍ଦିଆ, ଚିମୁର, ଭଣ୍ଡାରା, ବଲ୍ଲାରପୁର, ରାମଟେକ୍, ଚନ୍ଦ୍ରପୁର, କାମଠି ଓ ଦକ୍ଷିଣ ନାଗପୁର ସିଟରେ ବିବାଦ ଥିଲା। ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀମାନେ ବଲ୍ଲାରପୁର, ଚିମୁର, କାମଠି ଓ ଦକ୍ଷିଣ ନାଗପୁର ସିଟ୍‌ରେ ବିଜୟୀ ହୋଇଥିଲେ। ସେହିପରି ଚନ୍ଦ୍ରପୁର, ଗୋନ୍ଦିଆ, ରାମଟେକ୍ ବିଧାନସଭା ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଥିଲା। ଏବେ କେବଳ ଭଦ୍ରାବତୀ ଆସନଟି କଂଗ୍ରେସ ହାତରେ ରହିଛି। 

ଏବେ ଯେତେବେଳେ ସିଟ ବଣ୍ଟାକୁଣ୍ଟା ହେଲା ଉଦ୍ଧବଙ୍କ ଶିବସେନା ଓ କଂଗ୍ରେସ୍ ଏହି ସିଟ୍ ମାନଙ୍କ ଉପରେ ନିଜନିଜର ଦାବି କରିଥିଲେ। ଏହାକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏଥିରେ ଉଦ୍ଧବଙ୍କ ଶିବସେନା ମୁମ୍ବାଇର ସେହି ଆସନବି ମାଗିବସିଲା ଯେଉଁଥିରେ କଂଗ୍ରେସ କେବେବି ଜିତି ପାରିନଥିଲା। ଏଣୁ ସିଟ୍ କୁ ନେଇ କଳି ଏବେ ତୁଟିବ ବୋଲି ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.