ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ରାଚେଲ ଗୁପ୍ତା, ପିନ୍ଧିଲେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ

Published By : Prameya-News7 Bureau | October 27, 2024 IST

ମୁମ୍ଵାଇ ୨୭।୧୦; ଭାରତ ଲାଗି ଇତିହାସ ରଚିଛନ୍ତି ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା । ଶୁକ୍ରବାର ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତି ଭାରତକୁ ଗୌରବାନ୍ୱିତ  କରିଛନ୍ତି ସେ । ଏମ୍‌ଜିଆଇ ହଲ୍‌ରେ ଫିନାଲେ ସମୟରେ ପେରୁର ଲୁସିୟାନା ଫଷ୍ଟର ତାଙ୍କୁ ମୁକୁଟ ପିନ୍ଧାଇଥିଲେ ।   ସବୁଠୁ ବଡ଼ କଥା ହେଲା ଏହି ଟାଇଟଲ ଜିତିବାରେ ସେ ପ୍ରଥମ ଭାରତୀୟ । 

ଏହି କାର୍ଯ୍ୟକ୍ରମରେ ଫିଲିପିନ୍ସର  କ୍ରିଷ୍ଟିନ୍‌ ଜୁଲିଆନ୍‌ ଓପିଆଜା ଫାର୍ଷ୍ଟ ରନର-ଅପ୍‌ ରହିଥିଲେ । ମ୍ୟାମାଁରର ଥାଇ ସୁନ୍ୱେଇମ୍‌, ଫ୍ରାନ୍ସର ସାଫିଟୋ କବେଙ୍ଗେଲେ ଓ ବ୍ରାଜିଲର ତଲିତା ହାର୍ଟମ୍ୟାନ୍‌ ଶୀର୍ଷ ୫  ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ଥିଲେ । ଜଳନ୍ଧରରେ ବଢ଼ିଥିବା ରାଚେଲଙ୍କ ଉଚ୍ଚତା  ପ୍ରାୟ ୫ ଫୁଟ ୧୦ ଇଞ୍ଚ । ବୟସ ୨୦ ବର୍ଷ । ମଡେଲିଂ ଓ ଅଭିନୟ କ୍ଷେତ୍ରରେ   କ୍ୟାରିୟର କରୁଛନ୍ତି ସେ । ହିନ୍ଦୀ, ଇଂରାଜୀ ଓ ପଞ୍ଜାବୀ ଭାଷାରେ ତାଙ୍କର  ଦକ୍ଷତା ରହିଛି । ପ୍ରତିଯୋଗିତାରେ ରାଚେଲ ୪ଟି ବିଶେଷ ପୁରସ୍କାର ମଧ୍ୟ  ଜିତିଛନ୍ତି । ତାହା ହେଲା ମିସ୍‌ ଟପ୍‌ ମଡେଲ, ମିସ୍‌ ବ୍ୟୁଟି ୱିଥ୍‌ ଏ ପରପଜ୍‌,  ବେଷ୍ଟ ଇନ୍‌ ର‌୍ୟାମ୍ପୱାକ୍‌ ଓ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ । ଟାଇଟଲ ଜିତିବା  ପରେ ରାଚେଲ ଖୁସିରେ ଆତ୍ମହରା ହେବା ସହିତ କହିଛନ୍ତି, ଅତ୍ୟଧିକ   ଜନସଂଖ୍ୟା ଓ ସୀମିତ ସଂଶାଧନ କାରଣରୁ ଆଜି ଗରିବୀ ହେଉଛି  ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ବିଶ୍ୱ ନେତାମାନଙ୍କୁ ବୈଶ୍ୱିକ ସ୍ତରରେ  ଜନ୍ମ ନିୟନ୍ତ୍ରଣ ଉପାୟକୁ  ପ୍ରୋତ୍ସାହିତ କରି ସମସ୍ତଙ୍କ  ଲାଗି ପର୍ଯ୍ୟାପ୍ତ ସଂଶାଧନକୁ  ସୁନିଶ୍ଚିତ କରିବାର ଦାୟିତ୍ୱ  ନେବାର ଆବଶ୍ୟକତା  ରହିଛି । 

ମୁଁ ଭାରତ ଭଳି ଦେଶରୁ ଆସିଛି ଯେଉଁଠାରେ ସମସ୍ତଙ୍କ   ନିକଟରେ ଖାଦ୍ୟ, ପାଣି, ଶିକ୍ଷା ଓ ମୌଳିକ ସୁବିଧା ନାହିଁ ।  ଏବଂ ଏହା ବିଶ୍ୱର ଅନେକ ଅଞ୍ଚଳ ଲାଗି ଏକ ସତ୍ୟ କଥା ।  ବର୍ତ୍ତମାନ ସମୟ ଆସିଛି ଆମେ ପରସ୍ପର ସହିତ ଲଢ଼ିବା  ବନ୍ଦ କରି ପରସ୍ପରକୁ ସମ୍ମାନ ଦେବା ଆରମ୍ଭ କରିବା ।  ଏହି ଗ୍ରହରେ ସମସ୍ତଙ୍କ ଲାଗି ପର୍ଯ୍ୟାପ୍ତ ସଂଶାଧନକୁ   ସୁନିଶ୍ଚିତ କରିବା ।  ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା  ବିଶ୍ୱର ଅଗ୍ରଣୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତା  ମଧ୍ୟରୁ ଅନ୍ୟତମ । ସାରା ବିଶ୍ୱରେ ଏହାର  ୫ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି ।  ୨୦୨୨ରେ ମିସ୍‌ ସୁପର ଟ୍ୟାଲେଣ୍ଟ ଅଫ୍‌ ଦ  ୱର୍ଲଡ ହୋଇଥିବା ରାଚେଲ୍‌ ଚଳିତବର୍ଷ  ଅଗଷ୍ଟ ମାସରେ ଜୟପୁରରେ ଆୟୋଜିତ  ଜାତୀୟ ସ୍ତରର ପ୍ରତିଯୋଗିତାରେ ମିସ୍‌ ଗ୍ରାଣ୍ଡ  ଇଣ୍ଡିଆ ଟାଇଟାଲ ଜିତିବା ପରେ ଅନ୍ତର୍ଜାତୀୟ  ମଞ୍ଚରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିଲେ ।  ପରବର୍ତ୍ତୀ ସମୟରେ ୭୦ରୁ ଅଧିକ ଦେଶର  ପ୍ରତିଯୋଗୀଙ୍କ ସହିତ ପ୍ରତିଯୋଗିତାରେ ସେ  ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ଆରମ୍ଭରୁ  ଶେଷ ଯାଏ ସେ ଟାଇଟଲର ଶୀର୍ଷ ଦାବିଦାରଙ୍କ  ମଧ୍ୟରେ ସାମିଲ ରହିଥିଲେ । ବର୍ତ୍ତମାନ ଟାଇଟଲ  ଜିତିବା ପରେ ରାଚେଲ ଏମ୍‌ଜିଆଇ ଲାଗି ବୈଶ୍ୱିକ  ରାଷ୍ଟ୍ରଦୂତ ଭାବେ କାମ କରିବେ । ବିଶ୍ୱରେ ଶାନ୍ତି ଓ  ସ୍ଥିରତାକୁ ସେ ପ୍ରୋତ୍ସାହିତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.