ଦିଲଜିତ ଦୋସାଞ୍ଜ ଓ କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍‌ର କଳାବଜାରୀ ! ୫ ରାଜ୍ୟରେ EDର ଚଢାଉ

Published By : Prameya-News7 Bureau | October 27, 2024 IST

ମୁମ୍ଵାଇ ୨୭।୧୦: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ । ବ୍ରିଟିଶ ରକ୍ ବ୍ୟାଣ୍ଡ କୋଲ୍ଡ-ପ୍ଲେ କନ୍ସର୍ଟ ପାଇଁ ନକଲି ଟିକେଟ ବିକ୍ରି ମାମଲାରେ ଇଡି ୫ଟି ରାଜ୍ୟରେ ଚଢ଼ାଉ କରିଛି। ଦିଲ୍ଲୀ, ମହାରାଷ୍ଟ୍ର ରାଜସ୍ଥାନ, କର୍ଣ୍ଣାଟକ ଏବଂ ପଞ୍ଜାବ ଆଦି ସହରର ୧୩ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରିଛି ଇଡି।

ଏନେଇ ଇଡି ଏକ ବିବୃତ୍ତି ଜାରି କହିଛି ଯେ ଏଣ୍ଟ୍ରି ପାସର ଦ୍ରୁତ ବିକ୍ରୟ ପରେ ପ୍ରଶଂସକଙ୍କୁ ଟିକେଟ୍ ବିକ୍ରି ମାଧ୍ୟମରେ ଠକେଇ କରାଯାଉଥିବା ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ଆଧାରରେ ବର୍ତ୍ତମାନ ଏହାର ତଦନ୍ତ ଆରମ୍ଭ ହୋଇଛି। ଦେଶରେ ଟିକେଟ ବୁକିଂ ପୋର୍ଟାଲ 'ବୁକ୍ ମାଇ ଶୋ' ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ସମେତ ବହୁ ପୋଲିସ୍ ଏଫ୍ଆଇଆର୍ ବିଷୟରେ ଇଡି ଜାଣିବାକୁ ପାଇଛି। ଏହି ଚଢ଼ାଉ ସମୟରେ ସ୍କାମରେ ବ୍ୟବହୃତ ମୋବାଇଲ୍ ଫୋନ୍, ଲାପଟପ୍, ସିମ୍ କାର୍ଡ ଇତ୍ୟାଦି ଅନେକ ସାମଗ୍ରୀ ଜବତ ମଧ୍ୟ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ଇଡି କହିଛି।

କହିବାକୁ ଗଲେ ଜାନୁଆରୀ ୨୦୨୫ରେ ମୁମ୍ବାଇରେ ଲୋକପ୍ରିୟ ବ୍ରିଟିଶ ରକ୍ ବ୍ୟାଣ୍ଡ କୋଲ୍ଡ-ପ୍ଲେ'ର ଇଭେଣ୍ଟ 'ମ୍ୟୁଜିକ୍ ଅଫ୍ ଦି ସ୍ଫିୟର୍ସ ୱାର୍ଲ୍ଡ ଟୁର୍' ଅନୁଷ୍ଠିତ ହେବ। ଉଭୟ ଇଭେଣ୍ଟ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। କନ୍ସର୍ଟ ଗୁଡ଼ିକର ଆଧିକାରୀକ ଟିକେଟ୍ ପାର୍ଟନର 'ବୁକ୍ ମାଇ ଶୋ' ଏବଂ 'ଜୋମାଟୋ ଲାଇଭ୍' ଅଭିଯୋଗ କରିଛନ୍ତି ଯେ ଟିକେଟ୍ ସେମାନଙ୍କ ପ୍ଲାଟଫର୍ମରେ କିଛି ମିନିଟ୍ ମଧ୍ୟରେ ହିଁ ବିକ୍ରି ହୋଇଯାଇଥିଲା, ଯାହାଫଳରେ ଟିକେଟ୍ ବିପୁଳ ଟଙ୍କାରେ କଳାବଜାରୀ ହୋଇଥିଲା। ଅନେକ ରିପୋର୍ଟରେ ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ନକଲି ଟିକେଟ୍ ବିକ୍ରି କରାଯାଇଛି କିମ୍ବା ବୈଧ ଟିକେଟ୍ ପାଇଁ ଅତ୍ୟଧିକ ମୂଲ୍ୟ ସେମାନଙ୍କଠାରୁ ନିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.