ଦୀପାବଳିରେ ମାଗଣା ବଣ୍ଟାଯିବ LPG ସିଲିଣ୍ଡର, ଜାଣନ୍ତୁ ଲାଭବାନ ହେବେ କିଏ?

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ ୨୭।୧୦: ଦୀପାବଳି ଶୁଭ ଅବସରରେ ଦେଶର ଅନେକ ରାଜ୍ୟରେ ସରକାର ନିଜନିଜ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବା ପାଇଁ ମାଗଣା ଏଲପିଜି ସିଲିଣ୍ଡର ବାଣ୍ଟିବାର ଯୋଜନା କରିଛନ୍ତି। ନିକଟରେ ଉତ୍ତରପ୍ରଦେଶ ରାଜ୍ୟ ସରକାର ରାଜ୍ୟର ୧.୮୬ କୋଟି ପରିବାରଙ୍କୁ ଦୀପାବଳି ଅବସରରେ ମାଗଣା ରୋଷେଇ ଗ୍ୟାସ୍ ସିଲିଣ୍ଡର ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ରୋଷେଇ ଗ୍ୟାସ୍ ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି। 

ଆନ୍ଧ୍ରପ୍ରଦେଶ ସରକାର ଦ୍ୱାରା ୩୧ ଅକ୍ଟୋବର ଦୀପାବଳି ଦିନରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ରୋଷେଇ ଗ୍ୟାସ୍ ବିତରଣ ଆରମ୍ଭ କରିବେ। ଏଥିରେ ଉତ୍ତରାଖଣ୍ଡ ସରକାର ଯୋଜନାକୁ ୨୦୨୭ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଏଥିରେ ରାଜ୍ୟର ଗରିବ ପରିବାରଙ୍କୁ ଆଗାମୀ ବର୍ଷମାନଙ୍କରେ ମଧ୍ୟ ଏହି ଯୋଜନାର ଲାଭ ମିଳିବ। ଉଲ୍ଲେଖଯୋଗ୍ୟ ଯେ ଏହି ମାଗଣା ଏଲପିଜି ସିଲିଣ୍ଡରର ଲାଭ ମୁଖ୍ୟତଃ ସେହି ପରିବାରଙ୍କୁ ଦିଆଯାଉଛି ଯେଉଁମାନେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ରେ ଗ୍ୟାସ୍ ସିଲିଣ୍ଡର ପାଇଛନ୍ତି। 

ପିଏମୟୁୱାଇ ଯୋଜନାର ଆରମ୍ଭ ଦେଶରେ ୨୦୧୬ ମସିହାରେ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଦେଶର ଲକ୍ଷଲକ୍ଷ ଗରିବ ପରିବାରଙ୍କୁ ରୋଷେଇ ଗ୍ୟାସ୍ କନେକ୍ସନ ଯୋଗାଇ ଦିଆଯାଇଛି। ଅଗଷ୍ଟ ୨୦୨୧ରେ ଉଜ୍ଜ୍ୱଳା ୨.୦ଶୁଭାରମ୍ଭ କରାଯାଇଥିଲା ଓ ଜାନୁୟାରୀ ୨୦୨୩ ସୁଦ୍ଧା ଏହି ଯୋଜନାରେ ୧.୬୦ କୋଟି କନେକ୍ସନ ଜାରି କରାଯାଇଛି। ଜୁଲାଇ ୨୦୨୪ ସୁଦ୍ଧା ଯୋଜନାରେ ଦେଶରେ ୧୦.୩୩ କୋଟି ଏଲପିଜି କନେକ୍ସନ ରହିଛି। 

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ସାଧାରଣ ଗ୍ରାହକଙ୍କ ତୁଳନାରେ ୩୦୦ ଟଙ୍କା କମରେ ରୋଷେଇ ଗ୍ୟାସ୍ ରିଫିଲ ଯୋଗାଇ ଦିଆଯାଉଛି। ସରକାର ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଏହି ସବସିଡି ଯୋଗାଇ ଦେବାର ଯୋଜନା ରଖିଛନ୍ତି। ସେହି ଅନୁସାରେ ୨୦୨୪-୨୫ ପାଇଁ ସରକାର ବଜେଟ୍ ରେ ୧୨ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.