ରିସର୍ଟରେ ଭୟାବହ ଅଗ୍ନିକାଣ୍ଡ: ଜୀବନ ବିକଳରେ ଛାତରୁ ଡେଇଁଲେ ପର୍ଯ୍ୟଟକ, ୬୬ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | January 21, 2025 IST

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ତୁର୍କୀର ଏକ ସ୍କି ରିସର୍ଟରେ ଭୟାବହ ଅଗ୍ନିକାଣ୍ଡ। ଏହି ଘଟଣାରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ବୋଲୁ ପ୍ରଦେଶର କାର୍ଟାଲକାୟା ସ୍ଥିତ ରିସର୍ଟର ଥିବା ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ଗୃହମନ୍ତ୍ରୀ ଅଲି ୟେରଲିକାୟା କହିଛନ୍ତି। ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ହୋଟେଲର ଛାତ ପୋଡ଼ିଯାଇଥିଲା। ଉପର ମହଲାରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ସରକାରୀ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ କିଛି ଲୋକ ଭୟଭୀତ ହୋଇ କୋଠାରୁ ଡେଇଁ ପଡ଼ିଥିଲେ। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। NTV ଟେଲିଭିଜନ ରିପୋର୍ଟ ଅନୁଯାୟୀ କିଛି ଲୋକ ଚାଦର ସାହାଯ୍ୟରେ ସେମାନଙ୍କ କୋଠରୀରୁ ତଳକୁ ଆସିବାକୁ ଚେଷ୍ଟା କରିଥିଲେ। ସେହିଦିନ ହୋଟେଲରେ ୨୩୪ ଜଣ ଅତିଥି ରହିଥିବା ସୂଚନା ମିଳିଛି।

ରିସର୍ଟର ମ୍ୟାନେଜର ସ୍କିର ମ୍ୟାନେଜର ନେକମି କେପେସୁଟାନ୍ କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟିବା ସମୟରେ ସେ ଶୋଇଥିଲେ। ଘଟଣା ପରେ ସେ ବିଲ୍ଡିଂ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ତା’ପରେ ହୋଟେଲରୁ ପ୍ରାୟ ୨୦ ଜଣ ଅତିଥିଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ। ସେ କହିଛନ୍ତି ଯେ ହୋଟେଲଟି ଧୂଆଁରେ ପରିପୂର୍ଣ୍ଣ ଥିଲା। ଅତିଥିମାନଙ୍କ ପାଇଁ ନିଆଁରୁ ବର୍ତ୍ତିବା କଷ୍ଟକର ହୋଇପଡୁଥିଲା। ମୁଁ ଆମ କର୍ମଚାରୀଙ୍କୁ ଯୋଗାଯୋଗ କରୁଛି।  ଆଶା କରୁଛି ସେ ଭଲରେ ଥିବେ।

କାର୍ଟାଲକାୟା ହେଉଛି ଇସ୍ତାନବୁଲ ଠାରୁ ପ୍ରାୟ ୩୦୦ କିଲୋମିଟର ପୂର୍ବରେ କୋରୋଗ୍ଲୁ ପର୍ବତମାଳାରେ ଅବସ୍ଥିତ ଏକ ଲୋକପ୍ରିୟ ସ୍କି ରିସର୍ଟ। ତୁର୍କୀରେ  ଅଧିକାଂଶ ସ୍ଥାନରେ ଛୁଟି ଦିନ ରହିଥିବାରୁ ଏହି ଅଞ୍ଚଳର ହୋଟେଲଗୁଡ଼ିକ ସାଧାରଣତଃ ଭିଡ଼ ଥାଏ। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଘଟଣାସ୍ଥଳକୁ ୩୦ଟି ରେସ୍କ୍ୟୁ ଭେଇକ୍ୱିଲ୍‌ ଏବଂ ୨୮ଟି ଆମ୍ବୁଲାନ୍ସ ପଠାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରିସର୍ଟରେ ଥିବା ଅନ୍ୟ ହୋଟେଲଗୁଡ଼ିକୁ ଖାଲି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.