ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରତି ପରେ ଇସ୍ରାଏଲୀ ସେନାର କମାଣ୍ଡର ଲେଫ୍ଟିନାଣ୍ଟ ଜେନେରାଲ ହେରଜୀ ହାଲେଭି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରିପୋର୍ଟ ଅନୁସାରେ ଯୁଦ୍ଧ ବିରତିକୁ ନେଇ ଖୁସି ନଥିଲେ । ତାଙ୍କ କହିବା କଥା, ହମାସକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବାର ସଂକଳ୍ପ ପୂରଣ ହୋଇପାରିଲେ ନାହିଁ । ଉଲ୍ଲେଖ।ଯୋଗ୍ୟ ଯେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ବି ଅନେକ ଥର ଘୋଷଣା କରିସାରିଛନ୍ତି ଯେ ହମାସକୁ ସମ୍ପୂର୍ଣ୍ଣ ରୂପେ ଶେଷ ନକରିବା ଯାଏ ଯୁଦ୍ଧ ରୋକିବେ ନାହିଁ । ତେବେ ରବିବାର ଗାଜାରେ ଯୁଦ୍ଧ ବିରତି ଲାଗୁ କରାଯାଇଛି । ଏହାପରେ ଇସ୍ରାଏଲ୍ ଏବଂ ହମାସ ଉଭୟ ପଟୁ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ହାଲେଭି କିଛି ଦିନ ତଳେ ଏକ ବୟାନରେ କହିଥିଲେ ଯେ ଅକ୍ଟୋବର ୭ରେ ହମାସର ଆକ୍ରମଣ ରୋକି ପାରିନଥିବାରୁ ସେ ଗଭୀର ମର୍ମାହତ ଅଛନ୍ତି । ସେ କହିଥିଲେ ଯେ ଖୁବଶୀଘ୍ର କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ଉପରେ ବିଚାର କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୧୫ ମାସ ପୂର୍ବେ ହମାସ୍ ହଠାତ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା । ଏଥିରେ ଅତି କମରେ ୧୨୦୦ ଲୋକଙ୍କ ଜୀବନ ଯାଇଥିଲା । ୧୦୦ରୁ ଅଧିକ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ କରି ନେଇଥିଲେ ହମାସ ଆତଙ୍କବାଦୀ । ଏହାପରେ ଯୁଦ୍ଧରେ ଇସ୍ରାଏଲୀ ଆକ୍ରମଣରେ ପ୍ରାୟ ୪୬ ହଜାର ଫିଲିସ୍ତିନଙ୍କ ମୃତ୍ୟୁ ହୋଇଥିଲା ।
ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରତି ବୁଝାମଣାର ପ୍ରଥମ ପର୍ଯ୍ୟାରେ ତିନି ମହିଳାଙ୍କ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିଛି । ଏହା ବଦଳରେ ଇସ୍ରାଏଲ୍ ୯୦ ଜଣ ମହିଳାଙ୍କୁ ମୁକ୍ତ କରିଛି । ୬ ସପ୍ତାହ ଭିତରେ ବନ୍ଦୀଙ୍କୁ ମୁକ୍ତ କରାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଡିଲ୍ କରାଯିବ । ଅନ୍ୟପଟେ ଗାଜା ପଟ୍ଟିରେ ସହାୟତା ପହଞ୍ଚାଇବା ପାଇଁ ଟ୍ରକଗୁଡ଼ିକୁ ଅନୁମତି ଦିଆଯାଇଛି ।