ଭୁବନେଶ୍ବର: ‘କିଟ୍’ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲ, ସବୁଠି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ମଙ୍ଗଳବାର ଏହି ଘଟଣାକୁ ନେଇ ବିଧାନସଭାବି ବେଶ୍ ସରଗରମ ରହିଥିଲା। ଯାହାପରେ ରାଜ୍ୟ ସରକାର ନିଜ ଆଡ଼ୁ ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଏହି କମିଟି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ।
ଏହାରି ମଧ୍ୟରେ ପୋଲିସ ମଧ୍ୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି। ‘କିଟ୍’ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ସେହିଭଳି ଦୁଇ ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟ ଏବଂ ଯୋଗେନ୍ଦ୍ର ବେହେରା।
ଅବଶ୍ୟ ଏସବୁ ସତ୍ତ୍ବେବି କିଟ୍ ୟୁନିଭର୍ସିଟିରେ ଛାତ୍ରଙ୍କ ଆନ୍ଦୋଳନ ଜାରି ରହିଛି। ସନ୍ଧ୍ୟାରେ ‘କିଟ୍’ କ୍ୟାମ୍ପସରୁ ଇନଫୋସିଟି ଥାନା ଯାଏ ରାଲି କରିଛନ୍ତି ଛାତ୍ରଛାତ୍ରୀ । ଖାଲି କ୍ୟାଣ୍ଡେଲ ରାଲି ନୁହେଁ ଏସିପି ଅଫିସ୍ ଆଗରେ ମଧ୍ୟ ଶତାଧିକ ଛାତ୍ରଛାତ୍ରୀ, ଉଚିତ୍ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଧାରଣା ଦେଇଛନ୍ତି। ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ଘଟଣା ପ୍ରତିବାଦ କରାଯାଇଛି।