ଆତଙ୍କ ଖେଳାଉଛି ମାଂସ ଖିଆ ବ୍ୟାକ୍ଟେରିଆ, ସଂକ୍ରମଣର ୪୮ ଘଣ୍ଟାରେ ମୃତ୍ୟୁ ସୁନିଶ୍ଚିତ

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ ୧୬।୦୬: କମିନି କରୋନା ସଂକ୍ରମଣର ଭୟ । ଚିନ୍ତା ବଢାଇଲା ନୂଆ ସଂକ୍ରମଣ । ବ୍ୟାପୁଛି ମାଂସ ଖିଆ ବ୍ୟାକ୍ଟେରିଆ । ସଂକ୍ରମିତ ହେବାର ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ସୁନିଶ୍ଚିତ । ବର୍ତ୍ତମାନ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ହୋଇସାରିଛନ୍ତି ସଂକ୍ରମିତ । ଖାସ୍‌ କରି ୫୦ ବର୍ଷରୁ ଅଧିକ ବୟସ୍କ ହେଉଛନ୍ତି ଏହାର ଶିକାର । 

କରୋନା ଭୟ ମନରୁ ନଯାଉଣୁ ଏବେ ପୁଣି ଘାରିଲାଣି ଘାତକ ବ୍ୟାକ୍ଟେରିଆ ଚିନ୍ତା । ପୂର୍ବ ଏସିଆର ଏକ ଦେଶରେ ବ୍ୟାପୁଛି ମାଂସ ଖାଉଥିବା ବ୍ୟାକ୍ଟେରିଆ । ଖୁବ୍‌ ବିପଜ୍ଜନକ ଅଟେ ଏହି ଜୀବାଣୁ । ଯଦି କେହି ଏଥିରେ ସଂକ୍ରମିତ ହୁଅନ୍ତି ତେବେ ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇପାରେ । ବିଜ୍ଞାନର ଭାଷାରେ ଏହାକୁ ଷ୍ଟ୍ରେପ୍ଟୋକୋକଲ୍ ଟକ୍‌ସିକ୍‌ ଶକ୍ ସିଣ୍ଡ୍ରୋମ କୁହାଯାଏ । 

ଏହି ବ୍ୟାକ୍ଟେରିଆର ଶିକାର ହେଉଛନ୍ତି ଜାପାନବାସୀ । ଜାପାନରେ ଖୁବ୍‌ ନୟାନ୍ତ କଲାଣି ଏହି ବ୍ୟାକ୍ଟେରିଆ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫେକ୍ଟିଭ୍ ସଂକ୍ରାମକ ରୋଗ ସଂସ୍ଥାନ (NIID) ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ହଜାରରୁ ଅଧିକ ଲୋକ ଏହି ବ୍ୟାକ୍ଟେରିଆରେ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଏହି ରୋଗରେ ସଂକ୍ରମିତ ହେଲେ ଶରୀର ଫୁଲିବା  ଏବଂ ଗଳା ଯନ୍ତ୍ରଣା ହୁଏ । STSSର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ଜ୍ୱର, ଥଣ୍ଡା, ମାଂସପେଶୀରେ ଯନ୍ତ୍ରଣା ଏବଂ ବାନ୍ତି ହୋଇଥାଏ । 

ଏହି ସଂକ୍ରମଣର ଶିକାର ହେବା ପରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଲୋ ବ୍ଲଡପ୍ରେସର ହୋଇଯାଇଥାଏ । ଆଉ ଏହି ସମୟରେ ଜୀବାଣୁ ଅତ୍ୟନ୍ତ ଗମ୍ଭୀର ହୋଇଯାଏ ଏବଂ ପାରାଲିସିସ୍‌ କିମ୍ବା ହୃଦଘାତର ଶିକାର ହୋଇଥାଏ ବ୍ୟକ୍ତି । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହା ଖୁବ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଖାସ୍‌ କରି ୫୦ ବର୍ଷରୁ ଅଧିକ ଲୋକ ଏହାର ଶିକାର ହେଉଛନ୍ତି। 

ଟୋକିଓ ମହିଳା ମେଡିକାଲ ୟୁନିଭରସିଟିର ସଂକ୍ରାମକ ରୋଗର ପ୍ରଫେସର କେନ୍ କିକୁଚିଙ୍କ ଅନୁଯାୟୀ ଏହି ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କର ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇପାରେ । ଏହାବ୍ୟତୀତ ଚଳିତବର୍ଷ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୫୦୦ ଛୁଇଁପାରେ । ସଂକ୍ରମଣରେ ମୃତ୍ୟୁହାର ୩୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ। କିକୁଚି ଲୋକଙ୍କୁ  କହିଛନ୍ତି କି ହାତକୁ ସ୍ୱଚ୍ଛ ରଖନ୍ତୁ ଏବଂ ଖଣ୍ଡିଆ ହୋଇଥିବା ସ୍ଥାନକୁ ଶୀଘ୍ର ଚିକିତ୍ସା କରିବା ଉଚିତ୍‌ ।

 ସେ କହିଛନ୍ତି ଯେ ରୋଗୀଙ୍କ ଅନ୍ତନଳୀରେ ଗ୍ରୁପ୍ ଏ ଷ୍ଟ୍ରେପ୍ଟୋକୋକସ୍ ରହିପାରେ, ଯାହା ମଳ ମାଧ୍ୟମରେ ହାତକୁ ଦୂଷିତ କରିପାରେ। ତେଣୁ ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.