ଜର୍ମାନୀରେ ପାରାଙ୍କୁ ନିପାତ ପାଇଁ ମତଦାନ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | June 25, 2024 IST

ନୂଆଦିଲ୍ଲୀ ୨୫।୦୬: ଜର୍ମାନୀର ଏକ ସହର ଲିମବର୍ଗ ଆନ୍‌ ଡେର୍‌ ଲାହନ୍‌ରେ ସମୁଦାୟ ପାରା ବଂଶକୁ ନିପାତ କରିବାକୁ ନିଷ୍ପତ୍ତି ନିଆଯାଇଛି   ଏ ସଂପର୍କରେ ଆନୁଷ୍ଠାନିକ ଭାବେ ସହରର ଲୋକମାନଙ୍କ ଠାରୁ ରାୟ ନିଆଯାଇଥିଲା । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଥିଲାଗି ମତଦାନ ବି ଅନୁଷ୍ଠିତ ହୋଇଥିଲା । ସହରର ଲୋକେ ପାରାଙ୍କୁ ମାରିବା ସପକ୍ଷରେ ଭୋଟ୍‌ ଦେଇଛନ୍ତି । ଏହାଯୋଗୁ ସ୍ଥାନୀୟ ଲୋକେ ଓ ପଶୁ ଅଧିକାର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

ପଶୁ ଅଧିକାର କାର୍ଯ୍ୟକର୍ତ୍ତାମାନେ ଏହି ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଚଳିତ ମାସ ଆରମ୍ଭରେ ଏଥିଲାଗି ଜନମତ ସଂଗ୍ରହ ହୋଇଥିଲା । ଲିମବର୍ଗର ନ୍ୟୁମକର୍ଟ ସେଣ୍ଟ୍ରାଲ ସ୍କୋୟାର ଆଖପାଖର ବାସିନ୍ଦା, ରେସ୍ତାରାଁ ମାଲିକ, ଦୋକାନୀମାନେ ଏଥିନେଇ ଅଭିଯୋଗ କରିଥିଲେ । ଦୀର୍ଘ ବର୍ଷ ଧରି ସହରରେ ବିଚରଣ କରୁଥିବା ପାରାଙ୍କ ମଳ ଯୋଗୁ ଅତିଷ୍ଠ ହୋଇପଡି଼ଥିବା ସେମାନେ ଦର୍ଶାଇଥିଲେ । ଏପରିକି ଏହାଯୋଗୁ ସେମାନଙ୍କ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସହରର ମୁଖପାତ୍ର ଜୋହାନ୍ସ ଲୌବାକ୍‌ କହିଛନ୍ତି, ଜନମତର ଫଳାଫଳ ସହିତ ଆଗକୁ ବଢ଼ିବୁ କି ନାହିଁ ସେ ସଂପର୍କରେ ଚିନ୍ତା କରାଯାଉଛି । ଅଦ୍ୟାବଧି ପାରାଙ୍କୁ ମାରିବା ଲାଗି କୌଣସି ସମୟ ନିର୍ଦ୍ଧାରଣ କରାଯାଇନାହିଁ । ପଶୁ ଅଧିକାର କାର୍ଯ୍ୟକର୍ତ୍ତାଙ୍କ ବିକ୍ଷୋଭକୁ ଦେଖି ଏହି ଯୋଜନାର କାର୍ଯ୍ୟାନ୍ୱୟନ ପୂର୍ବରୁ ଏ ସଂପର୍କରେ ଆଉ ଥରେ ବ୍ୟାପକ ଭାବେ ସମୀକ୍ଷା କରାଯାଇପାରେ । ସୂଚନାଥାଉକି, ନିକଟରେ କେନିଆ ସରକାର ୧୦ ଲକ୍ଷ କୁଆଙ୍କୁ ମାରିବାକୁ ଘୋଷଣା କରିଥିଲେ । ତା’ପରେ ଲିମବର୍ଗର ଘଟଣା ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.