ମହାକାଶରୁ ହଟିବ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ, ଖସାଇବାକୁ ଆରମ୍ଭ ହେଲାଣି ପ୍ରସ୍ତୁତି, ଯୋଜନା ଜଣାଇଲେ NASA

Published By : Prameya-News7 Bureau | June 27, 2024 IST

ୱାସିଂଟନ ୨୭।୬: ମହାକାଶର କୌଣସି ଛବି, ଭିଡିଓ ଅଥବା ସୂଚନା ଯଦି ଆପଣଙ୍କ ପର୍ଯ୍ୟନ୍ତ, ଆମ ପର୍ଯ୍ୟନ୍ତ ପହଞ୍ଚୁଥାଏ ଏଥିରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ଆଇଏସଏସ୍)ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଇଏସଏସ୍ ୪୦୦ କିଲୋମିଟର ଉପରେ ପ୍ରତି ୯୦ ମିନିଟ୍‌ରେ ପୃଥିବୀକୁ ଗୋଟିଏ ଚକ୍କର ଲଗାଉଛି। ଏଠାରେ ଏପର୍ଯ୍ୟନ୍ତ ହଜାର ହଜାର ବୈଜ୍ଞାନିକ ପ୍ରୟୋଗ ହେଲାଣି। ଆଜି ବି ସାରା ବିଶ୍ୱର ବୈଜ୍ଞାନିକମାନେ ଏଠାରେ ଅବସ୍ଥାନ କରି ମହାକାଶ ଗତିବିଦ୍ଧି ଅଧ୍ୟୟନ କରୁଛନ୍ତି। ହେଲେ ଏବେ ଏହାକୁ ଖସାଇବାକୁ ଯୋଜନା କରାଯାଉଛି। 

ଦିନେ ନା ଦିନେ ଆଇଏସଏସ୍‌ର କାର୍ଯ୍ୟକାଳ ସମାପ୍ତ ହେବା ଏହା ସମସ୍ତେ ଜାଣିଥିଲେ। ସେତେବେଳେ ଏହାକୁ ମହାକାଶରୁ ଖସାଇବାର ଆବଶ୍ୟକତା ପଡିବ। ଏବେ ଆମେରିକୀୟ ମହାକାଶ ଏଜେନ୍ସୀ ନାସା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଖସାଇବାର ଯୋଜନା ଉପରୁ ପର୍ଦ୍ଦା ହଟାଇଛନ୍ତି। ଗତ ୩ ଦଶନ୍ଧୀ ହେଲା ଆଇଏସଏସକୁ ବୈଜ୍ଞାନିକମାନେ ଯାଉଛନ୍ତି ଓ ସେମାନଙ୍କ ନୂଆ ନୂଆ ପ୍ରୟୋଗ କରୁଛନ୍ତି। ହେଲେ ଏବେ ନାସା ଘୋଷଣା କରିଛନ୍ତି ଯେ ୨୦୩୧ରେ ଆମେ ଏହାକୁ ହରାଇବା। 

ଫୁଟବଲ ପଡିଆ ପରିମିତ ଆକାରର ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ମହାକାଶରୁ ଖସାଇବା ପାଇଁ ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀକୁ ବଛା ଯାଇଛି। ଏହି କମ୍ପାନୀ ୪୩୦ ଟନ ଓଜନର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପ୍ରଶାନ୍ତ ମହାସାଗରକୁ ଖସାଇ ଦେବ। ଏଥି ପାଇଁ ଏବେଠାରୁ ଏକ ବିଶେଷ ଯାନର ନିର୍ମାଣ କରାଯିବ। ଏ ବାବଦେ ୮୪୩ ମିଲିୟନ ଡଲାର ଅର୍ଥାତ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ନାସା ଇଞ୍ଜିନିୟର ମାନଙ୍କ କହିବା କଥା ହେଉଛି ସ୍ପେସ୍ ଷ୍ଟେସନ ଏବେବି ମଜଭୁତ ଅଛି। ହେଲେ ଏହାର କାର୍ଯ୍ୟକାଳ ସରିସରି ଆସୁଛି। 

ଏଣୁ ଏହାକୁ ପୃଥିବୀକୁ ଓହ୍ଲାଇ ଆଣିବାକୁ ପଡିବ। ନ ହେଲେ ଏହା ମନକୁ ମନ ଖସିପଡିବ। ହେଲେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯଦି ଏତେ ଉଚ୍ଚରୁ ଖସିବ ପୃଥିବୀରେ ରହୁଥିବା ଲୋକଙ୍କ ଲାଗି ବିପଦଜନକ ହେବ। ଏଥିପାଇଁ  ନାସା ଏହାକୁ ପ୍ରଶାନ୍ତ ମହାସାଗରରେ ଖସାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଓ ଋଷିଆ ଏବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ନେତୃତ୍ୱ ନେଉଛନ୍ତି। ୟୁରୋପ, କାନାଡା ଓ ଜାପାନ ଏହାର ସହାୟତା କରୁଛନ୍ତି। ଏଣୁ ମହାକାଶରୁ ସ୍ପେସ୍ ଷ୍ଟେସନକୁ ଖସାଇବାକୁ ଯାହା ବି ଖର୍ଚ୍ଚ ହେବ ଏହି ୫ଟି ଦେଶ ମିଳିତ ବହନ କରିବେ। 

ମହାକାଶ କେନ୍ଦ୍ରକୁ ପ୍ରଶାନ୍ତ ମହାସାଗରରେ ‘ପଏଣ୍ଟ ନିମୋ’ ନାମକ ଏକ ଦୂରସ୍ଥ ସ୍ଥାନକୁ ପଠାଯିବ। ନାଶା ଆଶା କରୁଛନ୍ତି ଯେଉଁ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଆକାଶରୁ ବାହାର କରାଯିବ ସେତେବେଳ ସୁଦ୍ଧା ଅନେକ ଘରୋଇ କମ୍ପାନୀ ବାଣିଜ୍ୟିକ ଅନ୍ତରୀକ୍ଷ ଷ୍ଟେସନର ପ୍ରକ୍ଷେପଣ ଆରମ୍ଭ କରିଦେଇଥିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.