ହେମନ୍ତ ସୋରେନଙ୍କ ସମ୍ପର୍କିତ ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଦେଲେ ଏପରି ଜବାବ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | June 28, 2024 IST

ରାଞ୍ଚୀ ୨୮।୬: ଝାଡ଼ଖଣ୍ଡ ଜମି ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି। ଏବେ ରାଜ୍ୟର ନେତୃତ୍ୱକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏଥି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଦାବିର ସହ କହିଛନ୍ତି ଯେ ଆମ ମେଣ୍ଟ ସୁଦୃଢ ଅଛି। ହେମନ୍ତ ସୋରେନ ଜେଲ ଯିବା ପୂର୍ବରୁ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ଦେଇ ଯାଇଥିଲେ। ଏବେ ସେ ଆସିଯାଇଥିବାରୁ ଚମ୍ପେଇ କଣ କରିବେ ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିଲେ। 

ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ କହିଛନ୍ତି ଯେ ଆମର ମେଣ୍ଟ ଅଛି, ପାର୍ଟି ଅଛି, ସଙ୍ଗଠନ ଅଛି। ସଙ୍ଗଠନ ସବୁଠୁ ବଡ଼ କଥା। ତେବେ ହେମନ୍ତ ସୋରେନଙ୍କ ମାମଲାରେ ଆମକୁ ନ୍ୟାୟପାଳିକା ଉପରେ ପୂର୍ଣ୍ଣ ଭରସା ଥିଲା ବୋଲି ଚମ୍ପେଇ ସୋରେନ କହିଛନ୍ତି। ସେ କହିଛନ୍ତି ଯେ ୨୦୧୯ ଓ ୨୦୨୪ ନିର୍ବାଚନ ଆମେ ହେମନ୍ତଙ୍କ ନାମରେ ଲଢିଛୁ। ଏଣୁ ଆମର ମେଣ୍ଟ ମଜଭୁତ ଅଛି। ସେ ଯେତେବେଳେ ଜେଲରେ ଥିଲେ ସେତେବେଳେ ବି ଆମେ ମଜଭୁତ ଥିଲୁ ଓ ଏବେ ଜେଲରୁ ବାହାରିଛନ୍ତି ଆମେ ଆହୁରି ମଜଭୁତ ହୋଇଛୁ। 


ଏଣୁ ହେମନ୍ତ ଜେଲରୁ ଫେରିବା ପରେ ଅଚାନକ ମୁଖ୍ୟମନ୍ତ୍ରୀ ହୋଇ ନ ପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ତାଙ୍କ ନାମରେ ଚମ୍ପେଇ ସୋରେନ ପୂର୍ବଭଳି ରାଜ୍ୟ ଶାସନର ଡୋରି ସମ୍ଭାଳି ରଖିପାରନ୍ତି। ହେଲେ ଏଥିରେ ଆଗକୁ କେଉଁ ମୋଡ ଆସିବ ତାହା କିନ୍ତୁ ଚମ୍ପେଇ ସୋରେନ ସ୍ପଷ୍ଟ କରି ନାହାନ୍ତି। ସେ ହେମନ୍ତଙ୍କ ଲାଗି ମୁଖ୍ୟମନ୍ତ୍ରୀ ପଦ ଛାଡିବେ କି ନା ସ୍ପଷ୍ଟ ରୂପେ କହିନାହାନ୍ତି। ସେହିପରି ହେମନ୍ତ ପୁଣି ନିଜ ପଦକୁ ଫେରିବେ କି ନା ସେ ନେଇ ମଧ୍ୟ ସେ କିଛି କହିନାହାନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.