ଏଣିକି ଆଉ ରହିବନି ବିଜୁଳି ସମସ୍ୟା; ପୃଥିବୀର ତାତିରୁ ଉତ୍ପାଦନ ହେବ ବିଦ୍ୟୁତ୍‌, ୪ ଲକ୍ଷ ଘରକୁ ମିଳିବ ବିଦ୍ୟୁତ୍‌ ସୁବିଧା

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ ୨୮।୦୪: ଏବେ ଆଉ ରହିବନି ବିଜୁଳି ସମସ୍ୟା । ଦିନରାତି ୨୪ଘଣ୍ଟା ରହିବ ବିଦ୍ୟୁତ ସରବରାହ । ଜଳବାୟୁ ସମାଧାନ ଦିଗରେ ନିଆଯାଇଛି ବଡ଼ ପଦକ୍ଷେପ । ପ୍ରଥମଥର ପାଇଁ ପୃଥିବୀର ତାତିରୁ ହେବ ବିଦ୍ୟୁତ୍‌ ଉତ୍ପାଦନ । ତାତିରୁ ହେବ ୪୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ । 

୪ ଲକ୍ଷ ଘରକୁ ମିଳିବ ବିଦ୍ୟୁତ୍‌ ସୁବିଧା । ବିଶ୍ବରେ ଦେଖିବାକୁ ମିଳୁଛି ଜଳବାୟୁ ପରିବର୍ତ୍ତନ । ଏଥିପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଶ୍ବବାସୀ । ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସ୍ୱଚ୍ଛ ଉପାୟରେ ବିଦ୍ୟୁତ୍‌ ଉତ୍ପାଦନ ପ୍ରକ୍ରିୟାକୁ ବିଭିନ୍ନ ଦେଶ ଆପଣାଉଛନ୍ତି । ଏଭଳି ସ୍ଥିତିରେ ଏକ ଭଲ ଖବର ଆସିଛି । 

ଖବର ହେଉଛି ଯେ, ପୃଥିବୀର ତାତିରୁ ହେବ ବିଦ୍ୟୁତ୍‌ ଉତ୍ପାଦନ । ଏ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ସୂତ୍ର ଅନୁସାରେ, କାଲିଫର୍ଣ୍ଣିଆର ଏକ କମ୍ପାନି ଆମେରିକାରେ ସବୁଠାରୁ ବଡ଼ ଜିଓଥର୍ମାଲ ପାୱାର୍‌ ଡେଭଲପ୍‌ମେଣ୍ଟ ବା ଭୂତାପନ ଶକ୍ତି ବିକାଶ ଉପରେ କାର୍ଯ୍ୟ କରୁଛି । ଏହାଦ୍ୱାରା ପୃଥିବୀର ତାତିରୁ ୪୦୦ ମେଗାୱାଟ୍‌ ସ୍ୱଚ୍ଛ ବିଦ୍ୟୁତ୍‌ ଉତ୍ପାଦନ ହେବ, ଯାହା ପ୍ରାୟ ୪ ଲକ୍ଷ ଘରକୁ ବିଜୁଳି ଯୋଗାଇବ ।

 ସଦର୍ଣ୍ଣ କାର୍ଲିଫର୍ଣ୍ଣିଆ ଏଡିସନ୍‌ ନାମକ କମ୍ପାନି ହ୍ୟୁଷ୍ଟନ୍‌ ସ୍ଥିତ ଜିଓଥର୍ମାଲ କମ୍ପାନି ଫେର୍‌ଭୋ ଏନର୍ଜିଠାରୁ ଏହି ବିଦ୍ୟୁତ୍‌କୁ କିଣିବ । ଏନେଇ ଫେର୍‌ଭୋ ପକ୍ଷରୁ କରାଯାଇଛି ଘୋଷଣା । କମ୍ପାନି ବିଦ୍ୟୁତ୍‌ ଉତ୍ପାଦନ ଲାଗି ଦକ୍ଷିଣ-ପଶ୍ଚିମ ୟୁଟାରେ ୧୨୫ଟି କୁପ ଖୋଳୁଛି । ଏହି ସ୍ୱଚ୍ଛ ଶକ୍ତି ପ୍ରକଳ୍ପ ଦ୍ୱାରା ପାରମ୍ପରିକ ପାୱାର ପ୍ଲାଣ୍ଟର ଆବଶ୍ୟକତା କମିବ । 

ସୂଚନଯୋଗ୍ୟ ଜଳବାୟୁ ପରିବର୍ତ୍ତନର ଏକ ବଡ଼ କାରଣ ହେଉଛି ପାରମ୍ପରିକ ପାୱାର ପ୍ଲାଣ୍ଟ । ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ଏନର୍ଜି ସିଷ୍ଟମ୍ସ ଗବେଷକ ୱିଲ୍‌ସନ ରିକ୍ସ କହିଛନ୍ତି ଏହି ପ୍ରକଳ୍ପ ନୂତନ ପିଢ଼ି ଜିଓଥର୍ମାଲ ଏନର୍ଜି ଖର୍ଚ୍ଚକୁ କମ୍‌ କରି ଏକ ଲମ୍ବା ରାସ୍ତା ନିର୍ଦ୍ଧାରଣ କରିପାରେ । ୱିଲ୍‌ସନ ରିକ୍ସ ଆହୁରି କହିଛନ୍ତି ଯେ, ଯଦି ଏହି ବିଦ୍ୟୁତ୍‌ କ୍ରୟ ଏ ଟେକ୍ନୋଲୋଜିକୁ ଭୂଇଁକୁ ଓହ୍ଲାଇବାରେ ସାହାଯ୍ୟ କରେ ତେବେ ଗ୍ଲୋବାଲ ଡିକାର୍ବୋନାଇଜେସନ୍‌ ପାଇଁ ଏହା ବଡ଼ ସ୍ତରରେ ପ୍ରଭାବଶାଳୀ ହେବ । 

ଆଜି ବି ୨୪ ଘଣ୍ଟା ବିଜୁଳି ପାଇଁ ସମଗ୍ର ବିଶ୍ୱ ମୁଖ୍ୟତଃ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭର କରୁଛି । ଫେର୍‌ଭୋର ଉପ-ସଭାପତି ସାରା ଜେୱେଟ୍‌ କହିଛନ୍ତି କି ଏହି ନୂଆ କ୍ରୟ ଚୁକ୍ତିରୁ ସ୍ପଷ୍ଟ ହେଉଛି ଯେ, ସ୍ୱଚ୍ଛ ଶକ୍ତି ବିଦ୍ୟୁତ୍‌ର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିପାରେ  । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.