ନୂଆ ସରକାରରେ ବଦଳିବ ପୁରୁଣା ଯୋଜନାର ନାଁ, ବନ୍ଦ ହେବନି କୌଣସି ସ୍କିମ

Published By : Prameya-News7 Bureau | June 28, 2024 IST

ଭୁବନେଶ୍ଵର: ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ । ଏନେଇ ଇଶାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଏହାକୁ ଉତ୍କଳ ଇନ୍ଭେଷ୍ଟ ସମ୍ମିଟ୍ ହୋଇପାରେ । ଯାହା ଜରିଆରେ ୨ଲକ୍ଷ ୫୦ହଜାର କୋଟିର ପୁଞ୍ଜି ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ନୂଆ ସରକାର । ପୂର୍ବରୁ ମଧ୍ୟ ଲକ୍ଷ୍ମୀ ବସ ସେବା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା ଭଳି ବିଭିନ୍ନ ଯୋଜନାର ନାଁ ବଦଳିବ ବୋଲି ଇଶାରା ଦେଇ ସାରିଲେଣି ନୂଆ ସରକାର । ଆଉ ଏବେ ନାଁ ବଦଳିବା ସ୍କିମ୍ରେ ଯୋଡ଼ି ହୋଇଛି ମେକ୍ ଇନ୍ ଓଡ଼ିଶା । 

ନୂଆ ସରକାରରେ ବଦଳିବ ପୁରୁଣା ଯୋଜନାର ନାଁ । କୌଣସି ଯୋଜନା ବନ୍ଦ ହେବନି ବରଂ ଏହାର ନବକଳେବର ହେବ । ନୂଆ ଢ଼ାଞ୍ଚାରେ ଯୋଜନାଗୁଡ଼ିକ କିଭଳି ଚାଲିବ, ତୃଣମୂଳସ୍ତରରେ କିଭଳି ହିତାଧିକାରୀମାନେ  ସରକାରୀ ଯୋଜନାର ସୁଫଳ ପାଇପାରିବେ ତାକୁ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ନୂଆ ସରକାର । ଖୁବ୍ ଶୀଘ୍ର ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ । ଏନେଇ ଇଶାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । 

Also read: ଜୁନ୍ ୩ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି IPS ଆଶିଷ ସିଂ, ଗୃହ ବିଭାଗକୁ ଅବଗତ କରାଯାଇଛି: ଡିଜିପି

ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଏହାକୁ ଉତ୍କଳ ଇନ୍ଭେଷ୍ଟ ସମ୍ମିଟ୍ ହୋଇପାରେ । ଯାହା ଜରିଆରେ ୨ଲକ୍ଷ ୫୦ହଜାର କୋଟିର ପୁଞ୍ଜି ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ନୂଆ ସରକାର । ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ । ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି । ଶିଳ୍ପମନ୍ତ୍ରୀ କହିଛନ୍ତି ୨୦୨୭ ସୁଦ୍ଧା ଇଣ୍ଡଷ୍ଟ୍ରିଆଲ କରିଡରକୁ ବିକଶିତ କରିବୁ ।ଶିଳ୍ପକୁ ନେଇ ୧୦୦ଦିନର ପ୍ଲାନ୍ ପାଇଁ ରୂପରେଖ ପ୍ରସ୍ତୁତ ଚାଲିଛି । ଏନେଇ ଖୁବ୍ ଶୀଘ୍ର ସରକାର ଅବଗତ କରିବେ ବୋଲି କହିଛନ୍ତି ମନ୍ତ୍ରୀ । 

ପୂର୍ବ ସରକାରରେ ଚାଲିଥିବା BSKY, କାଳିଆ, ଲକ୍ଷ୍ମୀ, ଆହାର ଭଳି ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ନୂଆ ନାଁ ନୂଆ ଢ଼ାଞ୍ଚାରେ ଚଲାଇବାକୁ ଇଶାରା ଦେଇଛନ୍ତି ନୂଆ ସରକାର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ପୁରୁଷମାନେ ୫ଲକ୍ଷ ଓ ମହିଳାମାନେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପାଇପାରୁଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ୫ଲକ୍ଷ ପର୍ଯ୍ୟନ୍ତ ଚକିତ୍ସା ସେବା ଯୋଗାଇ ଦିଆଯାଉଛି । ଏମିତିରେ ଏବେ ନୂଆ ସରକାରରେ ଲୋକଙ୍କ ପାଇଁ କିଭଳି ନୂଆ ନାଁରେ ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ତାହା ଦେଖିବାର କଥା । 

ସେହିଭଳି ଲକ୍ଷ୍ମୀ ବସ ସେବା କ୍ଷତିରେ ଚାଲୁଥିବାରୁ ସରକାର ଏହି ଯୋଜନାର ରୂପରେଖ ବଦଳାଇପାରନ୍ତି। କିନ୍ତୁ ଗ୍ରାମାଞ୍ଚଳ ଲୋକଙ୍କୁ ପରିବହନ ସେବା ଯୋଗାଇବା ମଧ୍ୟ ସରକାରଙ୍କ ପ୍ରାଥମିକତା ରହିବ । ରାଜ୍ୟର କାଳିଆ ଯୋଜନା ଓ କେନ୍ଦ୍ରର କୃଷକ ନିଧି ସମ୍ମାନ ଯୋଜନାକୁ ଏକାଠି କରି ଚାଷୀଙ୍କୁ କିଭଳି ଅଧିକରୁ ଅଧିକ ସହାୟତା ଯୋଗାଇଦିଆଯାଇପାରିବ ସେନେଇ ମଧ୍ୟ ଗୁରୁତ୍ବ ଦେବେ ନୂଆ ସରକାର । ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯୋଜନାର ନାଁ ବଦଳିଲେ ସାଧାରଣ ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ଖାଲି ଯୋଜନାର ନାଁ ପରିବର୍ତ୍ତନ କଲେ ହେବ ନାହିଁ ବିଭିନ୍ନ ସରକାରୀ ଯୋଜନା କିଭଳି ତୃଣମୂଳସ୍ତରରେ ପହଞ୍ଚିବ, କିଭଳି ସବୁ ବର୍ଗର ଲୋକେ ସରକାରୀ ଯୋଜନାଗୁଡ଼ିକର ସୁଫଳ ପାଇପାରିବେ ସେନେଇ ନୂଆ ସରକାର ଅଧିକ ଧ୍ୟାନ ଦେବା ଦରକାର । ଗତ ୨୪ବର୍ଷ ଧରି ବିଜେଡି ସରକାରରେ ବିଭିନ୍ନ ଫ୍ଲାଗସିପ୍ ଯୋଜନା କରାଯାଇଥିଲା । ଏବେ ସେସବୁ ଯୋଜନାକୁ କିଭଳି ଚଳାଇବେ ବିଜେପି ସରକାର ତା ‘ଉପରେ ରହିଛି ନଜର ।    

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.