ବେଆଇନ ଟଙ୍କା ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀ ଭିଜିଲାନ୍ସ ଦ୍ବାରା ଅଟକ

Published By : Prameya-News7 Bureau | November 04, 2024 IST

କେନ୍ଦୁଝର: ଭିଜିଲାନସ୍ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶେଖରଲାଲ ସାହୁ । ତାଙ୍କଠାରୁ ବେଆଇନ ଭାବେ ଠୁଳ କରିଥିବା ୨ଲକ୍ଷ ୮୦ହଜାର ଟଙ୍କା ଜବତ କରିଛି ଭିଜିଲାନସ୍ । କେନ୍ଦୁଝର ସହରର ଅଜନ୍ତା ହୋଟେଲ୍ ସମ୍ମୁଖରୁ ତାଙ୍କ ଟିଭିଏସ୍‌ ଗାଡିରୁ ଏହି ଟଙ୍କା ଭିଜିଲାନ୍ସର ଏକ ଟିମ୍ ଜବତ କରିଛି । ତେବେ ସେ ଏତେ ଟଙ୍କା କେଉଁଠୁ ଆଣିଲେ, ତାର ସଠିକ୍ ସୂଚନା ଦେଇ ପାରୁନଥିବା ବେଳେ, ତାଙ୍କୁ ଅଟକ ରଖି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମ୍ବନ୍ଧରେ ତାଙ୍କର ଅନ୍ୟ ଠିକଣାରେ ମଧ୍ୟ ଭିଜିଲାନସ୍ ଯାଞ୍ଚ କରୁଛି ।

ସୂଚନାଥାଉକି, ଏହା ପୂର୍ବରୁ ସୋମବାର ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ । ଗୋଚ୍ଛାପଡା ପଞ୍ଚାୟତ ବ୍ରୁଡିଗୁଡା ଠାରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ଏହି କାମର ବିଲ୍ କରାଇ ଦେବା ପାଇଁ ଯନ୍ତ୍ରୀ ଅଶୋକ ପାଢ଼ୀ ଠିକାଦାର ରଘୁନାଥ ମହାକୁଡ଼ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଶେଷରେ ଠିକାଦାର ରଘୁନାଥ  ପାଢୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ସୋମବାର ସକାଳେ ଯନ୍ତ୍ରୀ ଫିରିଙ୍ଗିଆ ସ୍ଥିତ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଧରିଥିଲେ ଭିଜିଲାନ୍ସ।ସେପଟେ ଗିରଫ ପରେ ଯନ୍ତ୍ରୀଙ୍କର ବାସଭବନରେ ଚଢାଉ ମଧ୍ୟ କରୁଛି ଭିଜିଲାନ୍ସ । ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ ପାଇଁ ଅନ୍ୟ କିଛି ସ୍ଥାନରେ ମଧ୍ୟ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.