କାବୁଲ,୧୧ା୫: ଆଫଗାନିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଅଚାନକ ଭୟାନକ ବନ୍ୟା ଆସିଛି । ଏହାଯୋଗୁ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବାଘଲାନ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୨୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ହଜାର ହଜାର ବାସଗୃହ ଛାରଖାର ହୋଇଯାଇଛି । ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ମୁତାବକ ବର୍ଷା ଯୋଗୁ ବାଘଲାନ ପ୍ରଦେଶର ପଡ଼ୋଶୀ ତଖର ପ୍ରଦେଶ ମଧ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏଠାରେ ଅତିକମ୍ରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।
ତାଲିବାନ ସରକାରର ମୁଖ୍ୟ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ଶନିବାର ସୋସିଆଲ ମିଡିଆରେ କହିଛନ୍ତି ଯେ ବିନାଶକାରୀ ବନ୍ୟା ଯୋଗୁ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ସଂଖ୍ୟକ ଲୋକ ଆହତ ହୋଇଛନ୍ତି । ବାଘଲାନ, ବଦଖଶାଂ, ଘୋର ଏବଂ ହେରାତ ପ୍ରଦେଶରେ ବନ୍ୟାର ପ୍ରକୋପ ଅଧିକ ରହିଥିଲା । ଏହାଯୋଗୁ ବିପୁଳ ଆର୍ଥିକ କ୍ଷତି ବି ହୋଇଛି । ଏବେ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ମାସରେ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଅନୁରୂପ ଭାବେ ଅଚାନକ ବନ୍ୟା ଆସିଥିଲା ।
ଏଥିରେ ଅତିକମ୍ରେ ୭୦ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ ହଜାର ଘର, ୩ ମସ୍ଜିଦ ଏବଂ ୪ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା । ତାଲିବାନ ଅଧୀନକୁ ଯିବା ପରେ ଆଫଗାନିସ୍ତାନ ଏବେ ନାନା ସମସ୍ୟା ଦେଇ ଗତି କରୁଛନ୍ତି । ଲୋକମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ବାରମ୍ବାର ବନ୍ୟା ଯୋଗୁ ସେମାନଙ୍କ ଜୀବନ ଆହୁରି ଦୁର୍ବିଷହ ହୋଇପଡ଼ିଛି ।