ଭୁୁବନେଶ୍ୱର: ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମାହୂତି ଉଦ୍ୟମ କରିଥିବା ଛାତ୍ରୀ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ଜୁଲାଇ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଦେହାନ୍ତ ଘଟିଛି । ଗତ ଶନିବାର ନିଜ ଦେହରେ ନିଆଁ ଲଗାଇ ଏଫଏମ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ଫକିର ମୋହନ ସ୍ୱୟଂଶାସିତ ମହା ବିଦ୍ୟାଳୟର ପୀଡିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ପୀଡିତାଙ୍କ ଜୀବନ ରକ୍ଷା ହୋଇ ପାରିଲାନି । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ମୁଁ ଦିବଙ୍ଗତ ଛାତ୍ରୀଙ୍କ ପରିବାରକୁ ଆଶ୍ୱାସନା ଦେଉଛି ଯେ, ସଂପୃକ୍ତ ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବ । ଏଥିପାଇଁ ମୁଁ ବ୍ୟକ୍ତିଗତ ଭାବେ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି । ପରିବାର ସହିତ ସରକାର ଦୃଢ ଭାବରେ ଛିଡା ହୋଇଛନ୍ତି ।
ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ସହଦେବ ଖୁଣ୍ଟା ପୋଲିସ ଗିରଫ କରିଛି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିଥିଲା । କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ମାମଲାରେ ପୂର୍ବରୁ ଏଜୁକେସନ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ ଗିରଫ ହୋଇଥିଲେ ।
ବାଲେଶ୍ୱର ଫକୀରମୋହନ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆସିଥିବା ଉଚ୍ଚଶିକ୍ଷା ବିଭାଗର ୩ ଜଣିଆ ଟିମ୍ ଦୀର୍ଘ ୪ ଘଣ୍ଟାର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇ ଫେରିଥିଲେ। ସମ୍ପର୍କୀୟ ଭାଇ ସାମିଲ ହେବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ କ୍ୟାମ୍ପସ ଭିତରକୁ ଛାଡ଼ିଲେନି ପୋଲିସ ।
ସେପଟେ ଛାତ୍ରୀ ଆତ୍ମାହୁତି ଘଟଣା ନୂଆ ମୋଡ଼ ନେଇଛି। ବାଲେଶ୍ୱର ଫକୀରମୋହନ କଲେଜରେ ପହଞ୍ଚି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । । ଆଡ଼ସିନାଲ ଏସ୍ପି ରାଜଲକ୍ଷ୍ମୀ ନାୟକ ଓ ଡ଼ିଏସପି ଇମନ କଲ୍ୟାଣ ନାୟକ ମହିଳା ଶାଖାରୁ ଏହି ଦୁଇ ଜଣିଆ ଟିମ୍ ପହଞ୍ଚି ପ୍ରିନ୍ସିପାଲ ଚାମ୍ବରକୁ ଯାଇଥିଲେ। ଆଇସିସି ଟିମ୍ ମଧ୍ୟ ଭିତରେ ରହିଛି । ପ୍ରିନ୍ସିପାଲଙ୍କ ଚାମ୍ବରରେ ପହଞ୍ଚି ତଦନ୍ତ କରିଥିଲେ ।
ସେପଟେ ଘଟଣାରେ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ମାମଲା ରୁଜୁ କଲା ଜାତୀୟ ମହିଳା କମିଶନ । ଘଟଣାର ଦୃଢ଼ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲା କମିଶନ । ପୋଲିସ ଡିଜିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩ ଦିନରେ ଆକ୍ସନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ବାଲେଶ୍ଵର ଫକିର ମୋହନ କଲେଜର ଛାତ୍ରୀଙ୍କ ଆତ୍ମଦାହ ଉଦ୍ୟମ ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଘଟଣାକୁ ନେଇ ରାଜନୀତି ଚରମରେ ପହଞ୍ଚିଛି। ବାଲେଶ୍ବରରୁ ଭୁବନେଶ୍ବର ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି ପ୍ରସଙ୍ଗ । ବାଲେଶ୍ବରରେ ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ କରାଯାଇଛି ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ଏଫଏମ କଲେଜ ସାମ୍ନାରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଧାରଣା, ନାରାବାଜି ଓ ଘେରାଉ କରାଯିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।
ବିଜେଡିର ପ୍ରମୁଖ ନେତାମାନେ ବାଲେଶ୍ବରରେ ଏକାଠି ହୋଇ ନାରାବାଜି କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ସରକାରଙ୍କୁ ନିଶାନା କରି କହିଛନ୍ତି ଯେ, ୫ ଦିନ ତଳୁ ଏସପି, ଜିଲ୍ଲାପାଳ, କଲେଜ ପ୍ରିନ୍ସିପାଲ ସମସ୍ତେ ଜାଣି ମଧ୍ୟ ଛାତ୍ରୀଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ । ଘଟଣା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଲେଖିକି ଦେଇଛି ବିଜେଡି । ସେପଟେ ଛାତ୍ର କଂଗ୍ରେସ ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।