ବନ ବିଭାଗ ଟିମ୍‌କୁ ପୁଣି ଚକ୍‌ମା ଦେଲା ଜିନ୍ନତ, ଶିମିଳିପାଳରୁ ୨୨୦ କିମି ଦୂରକୁ ଚାଲିଗଲାଣି ବାଘୁଣୀ

Published By : Prameya-News7 Bureau | December 28, 2024 IST

ଭୁବନେଶ୍ଵର: ବନ ବିଭାଗ ଟିମ୍‌କୁ ପୁଣି ଚକ୍‌ମା ଦେଲା ବାଘୁଣୀ ଜିନ୍ନତ । ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ରାଣୀବାଗ କଂସାବତୀ ଜଳଭଣ୍ଡାର ନିକଟକୁ ପାଣି ପିଇବାକୁ ଆସିଥିବା ବେଳେ ବାଘୁଣୀ ଜିନ୍ନତକୁ ସାଟେଲାଇଟ୍‌ ଟ୍ରାକ୍‌ କରି  ଟାଙ୍କୁଲାଇଜ୍‌ କରିବାକୁ ପୂର୍ଣ୍ଣ ପ୍ରୟାସ କରିଥିଲା ବନ ବିଭାଗର ସ୍ବତନ୍ତ୍ର ଟିମ୍‌ । ହେଲେ ବନ ବିଭାଗ ଟିମ୍‌କୁ ପୁଣି ଚକ୍‌ମା ଦେଇ ଖସିଯିବାରେ ସଫଳ ହୋଇଛି ଜିନ୍ନତ୍‌ ।ନିକଟସ୍ଥ ଜଙ୍ଗଲର ଏକ ବଡ଼ ଅଂଚଳକୁ ଜାଲ ଦ୍ବାରା ଘେରାଉ  କରାଯାଇ ଚାରିପଟେ ନିଆଁ ଜାଳି ବାଘୁଣୀ ଜିନ୍ନତକୁ ଜଙ୍ଗଲ ବାହାରକୁ ଆଣି ଟ୍ରାଙ୍କୁଲାଇଜ୍‌ କରିବାକୁ ଯୋଜନା କରୁଛି ବନ ବିଭାଗ ଟିମ୍‌ । ଡ୍ରୋନ୍‌ କ୍ୟାମେରା ସହାୟତାରେ ବାଘୁଣୀର ଅବସ୍ଥିତି ମଧ୍ୟ ଜାଣିବାକୁ ପ୍ରୟାସ କରୁଛନ୍ତି ବିଶେଷଜ୍ଞ ଦଳ । 

ଶିମିଳିପାଳ ବାଘୁଣୀ ଜିନ୍ନତକୁ ନେଇ ଏବେ ଓଡିଶା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ରାଜ୍ୟରେ ଚର୍ଚ୍ଚା ଲାଗିରହିଥିବା ବେଳେ ଶିମିଳିପାଳରୁ ଛୁ ମାରିଥିବା ବାଘୁଣୀ ଜିନ୍ନତ ବନ ବିଭାଗର ଜାଲରେ ପଡୁନି। ବନ ବିଭାଗର ଅଭିଜ୍ଞ ଟିମ ତାକୁ ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଯୋଜନା କରୁଥିଲେ ମଧ୍ୟ ବନ ବିଭାଗର ସବୁ କାଇଦା କୌଶଳକୁ ବଳି ଯାଉଛି ଜିନ୍ନତର ବୁଦ୍ଧିମତା । ଏଣେ ବାଘୁଣୀ ଜିନ୍ନତର ଆତଙ୍କରେ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ପ୍ରଥମେ ପୁରୁଲିଆ ଓ ଝାଡ଼ଗ୍ରାମ ଅଞ୍ଚଳରେ ହାଇଆଲର୍ଟ ଜାରି କରିଥିଲା। ମାତ୍ର ଏବେ ଜିନ୍ନତ ଶିମିଳିପାଳରୁ ଆହୁରି ଦୂରକୁ ଯାଇ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣିବାଗ ଥାନା କଂସାବତୀ ଜଳ ଭଣ୍ଡାର ନିକଟରେ ରହିଥିବାର ଜଣାଯାଇଛି। ଏଣୁ ପଶ୍ଚିମବଙ୍ଗ ସରକାର ତଥା ବନ ବିଭାଗ ବାରୁଣିଆ, ଗୋପାଳପୁର, ଗୋସାଇଁ ଡ଼ିହି, ଆଦି ଗ୍ରାମରେ ହାଇଆଲର୍ଟ ଜାରି କରିବା ସହ  ତୀକ୍ଷ୍ଣ ନଜର ରଖିଛି । 

Also read: ମୋ' ଝିଅକୁ କେହି ଦେଖିଛ କି ? ଯାହାକୁ ଦେଖିଲେ ବିକଳ ହୋଇ ପଚାରୁଛନ୍ତି ଭଦ୍ରକର ଅନ୍ନପୂର୍ଣ୍ଣା...

ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଇ ଘଞ୍ଚ ଜଙ୍ଗଲରୁ ଜିନ୍ନତକୁ ବାହାରକୁ ଆଣିବା ପାଇଁ ବନ ବିଭାଗ ଛେଳି, ମଇଁଷିଙ୍କୁ ଥୋପ କରିଥିଲେ ମଧ୍ୟ ଜିନ୍ନତ ଭୟରେ ବାହାରକୁ ଆସୁନାହିଁ। ଫଳରେ ଘଣ୍ଟାଘଣ୍ଟା ଧରି ଜଗି ରହି ବନ ବିଭାଗ ଟିମ ଶେଷରେ ନିରାଶ ହେଉଛି। ସେହିପରି ଜାଲ ବିଛାଇ ବାଘ ଧରିବାରେ ଏକ୍ସପାର୍ଟ ସୁନ୍ଦରବନର ସ୍ୱତନ୍ତ୍ର ଟିମ ମଧ୍ୟ ତାକୁ ଧରିବାରେ ବିଫଳ ହୋଇଛନ୍ତି। ତେଣୁ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନବିଭାଗ ନୂଆ ରଣନୀତି ପ୍ରସ୍ତୁତ କରି ଆସାମର କାଜିରଙ୍ଗା ଅଭୟାରଣ୍ୟରୁ ସ୍ଵତନ୍ତ୍ର ଟ୍ରାଙ୍କୁଲାଇଜ ଦଳ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ)ର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ାଙ୍କ ଟିମ ଟ୍ରାଙ୍କୁଲାଇଜ ପାଇଁ ପ୍ରୟାସ ଜାରି ରଖିଛନ୍ତି। 

ଆଜି ଅପରାହ୍ନରେ ବାଙ୍କୁରା ଜିଲ୍ଲା ରାଣିବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟକୁ ବାଘୁଣୀ ଜିନ୍ନତ ପାଣି ପିଇବାକୁ ଆସିଥିବା ବେଳେ ସ୍ୱତନ୍ତ୍ର ଟିମ ବାଘୁଣୀକୁ ସାଟେଲାଇଟ ଟ୍ରାକ କରି ଟ୍ରାଙ୍କୁଲାଇଜ କରିବାକୁ ପୂର୍ଣ୍ଣ ପ୍ରୟାସ କରିଥିଲା।  ତେବେ ବାଘୁଣୀ ଜିନ୍ନତ ଏଠାରୁ ମଧ୍ୟ ଖସି ଯିବାରେ ସଫଳ ହୋଇଛି। ନିକଟସ୍ଥ ଜଙ୍ଗଲର ଏକ ବଡ଼ ଅଞ୍ଚଳକୁ ଜାଲ ଦ୍ଵାରା ଘେରାଉ କରାଯାଇ ଚାରିପଟେ ନିଆଁ ଜାଳି ତାକୁ ସେ ଜଙ୍ଗଲରୁ ବାହାରକୁ ଆଣି ଟ୍ରାଙ୍କୁଲାଇଜ କରିବା ଲାଗି ଯୋଜନା କରୁଛି ବିଭାଗ। ଡ୍ରୋନ କ୍ୟାମେରାର ସହାୟତା ରେ ବାଘର ଅବସ୍ଥିତି ମଧ୍ୟ ଜାଣିବାକୁ ପ୍ରୟାସ କରିଛନ୍ତି ବିଶେଷଜ୍ଞ ଦଳ।   


ଦିନକୁ ଦିନ ଜିନ୍ନତ ଶିମିଳିପାଳ ଠାରୁ ଦୁରକୁ ଯାଉଛି । ଶିମିଳିପାଳ ଠାରୁ ଇତି ମଧ୍ୟରେ ପ୍ରାୟ ୨୨୦ କିମି ଦୂରକୁ ଚାଲିଗଲାଣି ଜିନ୍ନତ। ଯଦି ସେ ସେଠାରୁ ଆଉ ୨୬୦ କିମି ଦୂର ସୁନ୍ଦରବନ ମୁହାଁ ହୁଏ ତେବେ ଜିନ୍ନତକୁ ଶିମିଳିପାଳ ଫେରାଇବା ଦୁରୂହ ବ୍ୟାପାର ହେବ ।ଏନେଇ ପରିବେଶ ବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି।   ଏନେଇ ପିସିସିଏଫ ପ୍ରେମ କୁମାର ଝା ଓ ବାରିପଦା ମଣ୍ଡଳ ଆରସିସିଏଫ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଟ୍ରାଙ୍କୁଲାଇଜ ପରେ ଜିନତକୁ ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଅଣାଯିବା ପରେ ପୁଣି ଏନକ୍ଲଜରରେ ରଖା ଯିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.